ଜୟପୁର ଏସଏମଏସ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ; ICU ଭିତରେ ଚାଲିଗଲା 8 ରୋଗୀଙ୍କ ଜୀବନ
ହସ୍ପଟାଲର ଟ୍ରମା ସେଣ୍ଟରର 2ୟ ମହଲାରେ ହଠାତ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ICU ରେ ଥିବା 6 ଜଣ ରୋଗୀଙ୍କର ମୃତ୍ୟୁ ଘଟିିଥିଲା ।


Published : October 6, 2025 at 9:14 AM IST
ଜୟପୁର: ରାଜସ୍ଥାନ ଜୟପୁର ସ୍ଥିତ ସୱାଇ ମାନସିଂହ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ହସ୍ପଟାଲର ଟ୍ରମା ସେଣ୍ଟରର 2ୟ ମହଲାରେ ହଠାତ ନିଆଁ ଲାଗି ଯାଇଥିଲା । କେହି କିିଛି ଭାବିବା ଆଗରୁ ଭୟଙ୍କର ରୂପ ନେଇ ବ୍ୟାପି ଯାଇଥିଲା ନିଆଁ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ICU ରେ ଥିବା 2 ମହିଳାଙ୍କ ସମେତ 8 ଜଣ ରୋଗୀଙ୍କର ମୃତ୍ୟୁ ଘଟିିଥିଲା । ଦୁର୍ଘଟଣା ରାତି ପ୍ରାୟ 2ଟାରୁ 3ଟା ମଧ୍ୟରେ ଘଟିଥିଲା । ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ପ୍ରଥମେ ICUରୁ ଧୁଆଁ ବାହାରିଥିଲା । ଧୁଆଁକୁ ଦେଖିବା ପରେ ଆତଙ୍କ ଖେଳି ଯାଇଥିଲା । ରୋଗୀଙ୍କ ସମ୍ପର୍କୀୟ ହସ୍ପିଟାଲ କର୍ମଚାରୀଙ୍କୁ ଖବର ଦେଇଥିଲେ । କିନ୍ତୁ ତୁରନ୍ତ କେହି ପହଞ୍ଚି ନ ଥିଲେ । ଧୀରେ ଧୀରେ ପୂରା ଟ୍ରମା ସେଣ୍ଟର ଧୁଆଁମୟ ହୋଇ ଯାଇଥିଲା । ରୋଗୀମାନେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ମାତ୍ର କିଛି ମିନିଟ ମଧ୍ୟରେ ସ୍ଥିତି ଅସମ୍ଭାଳ ହୋଇ ପଡିଥିଲା । ମେଡିକାଲ କଲେଜ ପ୍ରିନ୍ସିପାଲଙ୍କ କହିବା ଅନୁଯାୟୀ, ଅଗ୍ନିକାଣ୍ଡ ଏବଂ ଧୁଆଁରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କର ମୃତ୍ୟୁ ଘଚିଥିଲା । ପରେ ଆଉ 2 ଜଣଙ୍କର ମୃତ୍ୟୁ ଘଟିିଥିଲା । ଟ୍ରମା ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ କହିବା ଅନୁସାରେ, ନ୍ୟୁରୋ ଆଇସିୟୁରେ 11ଜଣ ରୋଗୀ ଥିଲେ । ସେମାନଙ୍କ ମଧ୍ୟରୁ 8 ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଆହତଙ୍କର ଚିକିତ୍ସା ଚାଲିଛି ।
ଖବର ପାଇବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ଥିଲା । ପ୍ରାୟ ଅଧ ଡଜନ ଅଗ୍ନିଶମ ଦଳ ଉପସ୍ଥିତ ରହି ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପାଇଁ ଅଗ୍ନିଶମ ଦଳକୁ ଦୁଇ ଘଣ୍ଟା ଲାଗିଥିଲା । ଟ୍ରମା ସେଣ୍ଟରରୁ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା ।
ଖବର ପାଇବା ପରେ ତୁରନ୍ତ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷକ କରିଥିଲେ । ଘଟଣା ସମ୍ପର୍କରେ ହସ୍ପିଟାଲ ପ୍ରଶାସନଠାରୁ ପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭଜନଲାଲ ।
ଏହା ମଧ୍ୟ ପଢନ୍ତୁ ଦାର୍ଜିଲିଂରେ ଭୟଙ୍କର ଭୂସ୍ଖଳନ: 20 ମୃତ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ
ଏହା ମଧ୍ୟ ପଢନ୍ତୁ ପିଲାମାନଙ୍କ ଆଧାର ବାୟୋମେଟ୍ରିକ୍ ଅପଡେଟ୍ ଏବେ ବିନା ଫି'ରେ; ଜାଣନ୍ତୁ କେମିତି

