ହାଇଦ୍ରାବାଦ: ଏଥର ଭାରତ ଆକାଶରେ ଚକ୍କର କାଟିବ ସ୍ୱଦେଶୀ ରାଫେଲ ଲଢୁଆ ବିମାନ । ଫାଇଟର ଜେଟ୍ ରାଫେଲ ଗର୍ଜନରେ କମ୍ପିବ ଗଗନ ପବନ । ଆକାଶର ଛାତି ଚିରି ଶତ୍ରୁ ଦେଶରେ ପଶି ବୋମା ବର୍ଷା କରିବ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ । ଅପରେସନ୍ ସିନ୍ଦୂରରେ ପାକିସ୍ତାନର ନିଦ ହଜାଇ ଦେଇଥିବା ରାଫେଲ ଫାଇଟର ଜେଟ ଆଉ ଫ୍ରାନ୍ସ ନୁହେଁ ବରଂ ହେବ ମେଡ୍ ଇନ୍ ଇଣ୍ଡିଆ । କାରଣ ଆଜି ଟାଟା ଗ୍ରୁପ୍ ଏବଂ ରାଫେଲ ତିଆରି କରୁଥିବା କମ୍ପାନୀ ଡାସଲ୍ଟ ଏଭିଏସନ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି । ଏହି ଏମଓୟୁ ଆଧାରରେ ଭାରତରେ ତିଆରି ହେବ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲର ମେନ୍ ବଡି ଅର୍ଥାତ୍ ଗୁରୁତ୍ୱପୂର୍ଣ୍ଣ ପାର୍ଟ୍ସ ।
Precision meets partnership ✈️⚙️
— Tata Advanced Systems Limited (@tataadvanced) June 5, 2025
Dassault Aviation partners with Tata Advanced Systems to manufacture Rafale fighter aircraft fuselage for India and other global markets.#TataAdvancedSystems #DassaultAviation #Rafale #MakeInIndia #Aerospace #DefenceManufacturing… pic.twitter.com/MDLIOzXwxx
ପ୍ରଥମ ଥର ପାଇଁ ରାଫେଲ ଯୁଦ୍ଧ ବିମାନର ବଡି ଫ୍ରାନ୍ସ ବାହାରେ ଭାରତରେ ତିଆରି ହେବ । ରତନ ଟାଟାଙ୍କ କମ୍ପାନୀ ସହ ଏକ ବଡ଼ ଚୁକ୍ତି କରିଛି ଡାସଲ୍ଟ ଏଭିଏସନ୍ । ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧ ବିମାନକୁ କ୍ରୟ କରିଛି ଭାରତ । ଭାରତୀୟ ବାୟୁ ସେନାର ବର୍ତ୍ତମାନ ସମୟରେ ବ୍ରହ୍ମାସ୍ତ୍ର ହେଉଛି ରାଫେଲ । ମଝି ଆକାଶରେ ରାଫେଲ ଦମରେ ଶତ୍ରୁକୁ ଥରହର କରୁଛି ଭାରତୀୟ ବାୟୁ ସେନା । ତେବେ ପ୍ରଥମ ଥର ପାଇଁ ରାଫେଲ ଯୁଦ୍ଧ ବିମାନର ମୁଖ୍ୟ ଅଂଶ ଭାରତରେ ତିଆରି ହେବ ।
ଭାରତରେ ତିଆରି ହେବ ରାଫେଲ ଫାଇଟର ଜେଟ୍ ପାର୍ଟ୍ସ-
- ଫ୍ରାନ୍ସ ବାହାରେ ପ୍ରଥମ ଥର ପାଇଁ ତିଆରି ହେବ ରାଫେଲ ବଡି
- ହାଇଦ୍ରାବାଦରେ ଟାଟା କମ୍ପାନୀ ସେଣ୍ଟରେ ତିଆରି ହେବ ମେନ୍ ବଡି ପାର୍ଟ୍ସ
- ଭାରତୀୟ ବାୟୁ ସେନାର ପ୍ରମୁଖ ଲଢୁଆ ବିମାନ ରାଫେଲ
- ନୌସେନା ପାଇଁ ମଧ୍ୟ ଆସୁଛି ରାଫେଲ

ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଏବଂ ଡାସଲ୍ଟ ଏଭିଏସନ୍ ଭାରତରେ ରାଫେଲ ଯୁଦ୍ଧ ବିମାନର ବଡି ତିଆରି କରିବା ପାଇଁ ଚାରୋଟି ଉତ୍ପାଦ ସ୍ଥାନାନ୍ତର ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହା ପ୍ରଥମ ଥର ଯେ ଫ୍ରାନ୍ସ ବାହାରେ ଯୁଦ୍ଧ ବିମାନର ବଡି ଉତ୍ପାଦନ କରାଯାଉଛି । ଡାସଲ୍ଟ ଅନୁଯାୟୀ, ଏହା ଭାରତର ମହାକାଶ ଭିତ୍ତିଭୂମିରେ ଏକ ଗୁରୁତ୍ୱପୂର୍ଣ୍ଣ ନିବେଶକୁ ଟାଣିବ ଏବଂ ଉଚ୍ଚମାନର ଉତ୍ପାଦନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ।
ଚୁକ୍ତିନାମାରେ କ’ଣ ଅଛି ?
ଚୁକ୍ତିନାମାର ପରିସର ଅଧୀନରେ, ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ହାଇଦ୍ରାବାଦରେ ଏକ ଅତ୍ୟାଧୁନିକ ଉତ୍ପାଦନ ସୁବିଧା ସ୍ଥାପନ କରିବ ଯାହା ରାଫେଲର ପ୍ରମୁଖ ଗଠନାତ୍ମକ ଅଂଶ ନିର୍ମାଣ କରିବ । ଯେଉଁଥିରେ ପଛ ବଡିର ପାର୍ଶ୍ୱ କଭର, ସମ୍ପୂର୍ଣ୍ଣ ପଛ ଅଂଶ, କେନ୍ଦ୍ରୀୟ ଅଂଶ ଏବଂ ସମ୍ମୁଖ ଅଂଶ ଅନ୍ତର୍ଭୁକ୍ତ ।
ରିପୋର୍ଟ ଅନୁଯାୟୀ, ପ୍ରଥମ ବଡି ପାର୍ଟ 2028 ଆର୍ଥିକ ବର୍ଷରେ ଆସେମ୍ବଲି ଲାଇନରୁ ବାହାରିବ ବୋଲି ଆଶା କରାଯାଉଛି ଏବଂ ଏହି ସୁବିଧା ପ୍ରତି ମାସରେ ଦୁଇଟି ସମ୍ପୂର୍ଣ୍ଣ ବଡି ଉତ୍ପାଦନ କରିବ ବୋଲି ଆଶା କରାଯାଉଛି ।
ଡାସଲ୍ଟ ଆଭିଏସନ୍ର ସଭାପତି ଏବଂ ସିଇଓ ଏରିକ୍ ଟ୍ରାପିଅର୍ କହିଛନ୍ତି, "ଏହା ଭାରତରେ ଆମର ସପ୍ଲାଏ ଚେନକୁ ସୁଦୃଢ଼ କରିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ । ଭାରତୀୟ ମହାକାଶ ଶିଳ୍ପର ପ୍ରମୁଖ ଅଂଶୀଦାରମାନଙ୍କ ମଧ୍ୟରୁ ଗୋଟିଏ TASL । ଏହି ଯୋଗାଣ ଶୃଙ୍ଖଳ ରାଫାଲର ସଫଳ ବୃଦ୍ଧିରେ ଯୋଗଦାନ ଦେବ ଏବଂ ଆମର ଗୁଣବତ୍ତା ଏବଂ ପ୍ରତିଯୋଗିତାମୂଳକ ଆବଶ୍ୟକତା ପୂରଣ କରିବ ।"

ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ସୁକରଣ ସିଂହ କହିଛନ୍ତି, "ଏହି ଚୁକ୍ତିନାମା ଭାରତର ମହାକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତରେ ରାଫାଲର ସମ୍ପୂର୍ଣ୍ଣ ବଡିର ଉତ୍ପାଦନ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ର କ୍ଷମତା ପ୍ରତି ବଢ଼ୁଥିବା ବିଶ୍ୱାସ ଏବଂ ଡାସଲ୍ଟ ଏଭିଏସନ୍ ସହିତ ଆମର ସହଯୋଗର ଶକ୍ତିକୁ ଦର୍ଶାଏ । ଏହା ଭାରତରେ ଏକ ଆଧୁନିକ, ଦୃଢ଼ ମହାକାଶ ଉତ୍ପାଦନ ଇକୋସିଷ୍ଟମ୍ ନିର୍ମାଣରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ମଧ୍ୟ ଦର୍ଶାଏ ।"
ଡାସଲ୍ଟ ଏବଂ ଟାଟା ଚୁକ୍ତି ଅନୁସାରେ ରାଫେଲ ଫ୍ୟୁସେଲେଜ୍ ଏବେ ଭାରତରେ ତିଆରି ହେବ । ଏହି ଚୁକ୍ତି ଅନୁଯାୟୀ, ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ରାଫେଲ ବିମାନର ପ୍ରମୁଖ ଉପାଦାନଗୁଡ଼ିକର ନିର୍ମାଣ ପାଇଁ ହାଇଦ୍ରାବାଦରେ ଏକ ଅତ୍ୟାଧୁନିକ ଉତ୍ପାଦନ ସୁବିଧା ସ୍ଥାପନ କରିବ ।
ଗୁରୁବାର ଜାରି ଏକ ମିଳିତ ବିବୃତ୍ତିରେ, ଡାସଲ୍ଟ ଏଭିଏସନ୍ ଏବଂ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡ୍ କହିଛନ୍ତି ସହଭାଗୀତାର ପରିସର ଅଧୀନରେ, ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ହାଇଦ୍ରାବାଦରେ ରାଫେଲର ପ୍ରମୁଖ ଗଠନାତ୍ମକ ଅଂଶଗୁଡ଼ିକର ନିର୍ମାଣ ପାଇଁ ଏକ ଅତ୍ୟାଧୁନିକ ଉତ୍ପାଦନ ସୁବିଧା ସ୍ଥାପନ କରିବ । ଯେଉଁଥିରେ ପଛ ଫ୍ୟୁସେଲେଜର ପାର୍ଶ୍ଵ ସେଲ୍, ସମ୍ପୂର୍ଣ୍ଣ ପଛ ଅଂଶ, କେନ୍ଦ୍ରୀୟ ଫ୍ୟୁସେଲେଜ୍ ଏବଂ ସମ୍ମୁଖ ଅଂଶ ଅନ୍ତର୍ଭୁକ୍ତ ।
ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଦ୍ୱାରା ଭାରତର 'ମେକ୍ ଇନ୍ ଇଣ୍ଡିଆ' ଏବଂ ଆତ୍ମନିର୍ଭର ପଦକ୍ଷେପ ପ୍ରତି ଡାସଲ୍ଟ ଏଭିଏସନ୍ର ଦୃଢ଼ ପ୍ରତିବଦ୍ଧତା ପ୍ରତିଫଳିତ ହୁଏ । ଏହି ସହଭାଗୀତା ବିଶ୍ୱର ମହାକାଶ ଯୋଗାଣ ଶୃଙ୍ଖଳରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ସହିତ ଏହାର ଅଧିକ ଆର୍ଥିକ ଆତ୍ମନିର୍ଭରଶୀଳତାର ଲକ୍ଷ୍ୟକୁ ସମର୍ଥନ କରିବା ଲକ୍ଷ୍ୟରେ ରହିଛି ।

ତେବେ ପ୍ରକାଶ ଥାଉ କି, ଭାରତୀୟ ବାୟୁ ସେନାର ଆଗଧାଡିର ପ୍ରମୁଖ ଲଢୁଆ ବିମାନ ହେଉଛି ରାଫେଲ । 36ଟି ଅତ୍ୟାଧୁନିକ ରାଫେଲକୁ କ୍ରୟ କରିଛି ଭାରତୀୟ ବାୟୁ ସେନା । ଏପଟେ ଭାରତୀୟ ନୌସେନା ପାଇଁ ମଧ୍ୟ ରାଫେଲ ଲଢୁଆ ବିମାନ କ୍ରିୟ ଉପରେ ମୋହର ବାଜି ସାରିଛି । 26ଟି ରାଫେଲ 63 ହଜାର କୋଟିରେ କ୍ରୟ କରିବ ନୌସେନା ।