ମୁମ୍ବାଇରେ ମୋଦି-ଷ୍ଟାର୍ମର ସାକ୍ଷାତ; ବ୍ରିଟେନର 9ଟି ବିଶ୍ବବିଦ୍ୟାଳୟ ଭାରତରେ ଖୋଲିବେ ଶାଖା
ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ-ୟୁକେ ସମ୍ପର୍କକୁ ବୃଦ୍ଧି କରିବା ଉପରେ ବ୍ୟାପକ ଆଲୋଚନା କରିଥିଲେ।


Published : October 9, 2025 at 4:27 PM IST
ମୁମ୍ବାଇ: ମୁମ୍ବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା। ଦୁଇ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣରେ, ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର ବୁଧବାର ସକାଳେ ଦୁଇ ଦିନିଆ ଭାରତ ଗସ୍ତରେ ଆସି ମୁମ୍ବାଇରେ ପହଞ୍ଚିଥିଲେ। ଷ୍ଟାର୍ମରଙ୍କ ସହିତ 125 ଜଣିଆ ପ୍ରତିନିଧିମଣ୍ଡଳୀ ମଧ୍ୟ ଭାରତ ଆସିଛନ୍ତି।
ବ୍ରିଟିଶ ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କ ସହିତ ଏକ ମିଳିତ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କ ନେତୃତ୍ୱରେ ଭାରତ-ୟୁକେ ସମ୍ପର୍କରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ଏହି ବର୍ଷ ଜୁଲାଇରେ ମୋର ୟୁକେ ଗସ୍ତ ସମୟରେ, ଆମେ ଐତିହାସିକ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା (CETA) ସ୍ୱାକ୍ଷର କରିଥିଲୁ।"
ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କ ସହିତ ଶିକ୍ଷା କ୍ଷେତ୍ରର ସବୁଠାରୁ ବଡ଼ ଏବଂ ପ୍ରଭାବଶାଳୀ ପ୍ରତିନିଧିମଣ୍ଡଳୀ ଅଛନ୍ତି। ଏହା ବହୁତ ଖୁସିର ବିଷୟ ଯେ ନଅଟି ୟୁକେ ବିଶ୍ୱବିଦ୍ୟାଳୟ ଏବେ ଭାରତରେ କ୍ୟାମ୍ପସ ଖୋଲିବାକୁ ଯାଉଛନ୍ତି। ସାଉଥାମ୍ପଟନ୍ ବିଶ୍ୱବିଦ୍ୟାଳୟର ଗୁରୁଗ୍ରାମ କ୍ୟାମ୍ପସ୍ ସମ୍ପ୍ରତି ଉଦଘାଟନ କରାଯାଇଥିଲା ଏବଂ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନେ ନାମ ଲେଖାଇସାରିଛନ୍ତି।"
ମୋଦି ଆହୁରି କହିଛନ୍ତି, "ଏହି ଚୁକ୍ତିନାମା (ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା-CETA) ଦୁଇ ଦେଶ ମଧ୍ୟରେ ଆମଦାନୀ ଖର୍ଚ୍ଚ ହ୍ରାସ କରିବ, ଯୁବପିଢ଼ିଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ବାଣିଜ୍ୟକୁ ବୃଦ୍ଧି କରିବ ଏବଂ ଆମର ଶିଳ୍ପ ଏବଂ ଗ୍ରାହକମାନଙ୍କୁ ଲାଭ ଦେବ। ଚୁକ୍ତିନାମା ସ୍ୱାକ୍ଷର କରିବାର କିଛି ମାସ ମଧ୍ୟରେ ଆପଣଙ୍କର ଭାରତ ଗସ୍ତ, ସବୁଠାରୁ ବଡ଼ ବ୍ୟବସାୟିକ ପ୍ରତିନିଧି ଦଳ ସହିତ, ଭାରତ-ୟୁକେ ସହଭାଗୀତାରେ ନୂତନ ଶକ୍ତିର ପ୍ରତୀକ।"
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଭାରତ ଏବଂ ଇଂଲଣ୍ଡ ସ୍ୱାଭାବିକ ଅଂଶୀଦାର। ଗଣତନ୍ତ୍ର, ସ୍ୱାଧୀନତା ଏବଂ ଆଇନର ଶାସନ ଭଳି ମୂଲ୍ୟବୋଧ ଉପରେ ପାରସ୍ପରିକ ବିଶ୍ୱାସ ଆମ ସମ୍ପର୍କର ମୂଳଦୁଆ। ବିଶ୍ୱ ଅସ୍ଥିରତାର ଏହି ଯୁଗରେ, ଭାରତ ଏବଂ ୟୁକେ ମଧ୍ୟରେ ବଢ଼ୁଥିବା ସହଭାଗୀତା ବିଶ୍ୱ ସ୍ଥିରତା ଏବଂ ଆର୍ଥିକ ପ୍ରଗତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇଛି।"
"ଆଜିର ବୈଠକରେ ଆମେ ଭାରତ-ପ୍ରଶାନ୍ତ ମହାସାଗର, ପଶ୍ଚିମ ଏସିଆ ଏବଂ ୟୁକ୍ରେନ ବିବାଦରେ ଶାନ୍ତି ଏବଂ ସ୍ଥିରତା ବିଷୟରେ ଆଲୋଚନା କରିଛୁ। ୟୁକ୍ରେନ ବିବାଦ ଏବଂ ଗାଜା ବିବାଦ ଉପରେ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଶାନ୍ତି ପାଇଁ ସମସ୍ତ ପ୍ରୟାସକୁ ଭାରତ ସମର୍ଥନ କରେ। ଆମେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା ବୃଦ୍ଧି କରିବାକୁ ପ୍ରତିବଦ୍ଧ" ବୋଲି କହିଛନ୍ତି ମୋଦି।
ଏହି ଅବସରରେ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ କହିଛନ୍ତି ଯେ, "ପ୍ରଧାନମନ୍ତ୍ରୀ ମୋଦି, ଜୁଲାଇ ମାସରେ ଆପଣଙ୍କୁ ୟୁକେରେ ଆତିଥ୍ୟ ଦେବା ଏକ ସମ୍ମାନର କଥା ଥିଲା ଏବଂ କିଛି ମାସ ପରେ ପୁନରାଗମନ କରିବାକୁ ନେଇ ମୁଁ ଖୁସି। ଆମେ ଭବିଷ୍ୟତ ଉପରେ କେନ୍ଦ୍ରିତ ଏକ ନୂତନ, ଆଧୁନିକ ସହଭାଗୀତା ନିର୍ମାଣ କରୁଛୁ ଏବଂ ସୁଯୋଗଗୁଡ଼ିକୁ ହାସଲ କରୁଛୁ।"

ବୁଧବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କ ସହ ଆସିଥିବା ପ୍ରତିନିଧି ଦଳକୁ ତାଜ ହୋଟେଲରେ ସାକ୍ଷାତ କରିଥିଲେ। ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କ ସହ ବ୍ରିଟେନର ଏକ ବଡ଼ ବ୍ୟବସାୟିକ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିଛନ୍ତି। ସୂଚନା ଅନୁଯାୟୀ ଆଜି ଭାରତ ଏବଂ ବ୍ରିଟେନ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉପରେ ଆଲୋଚନା ହେବ।
ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଷ୍ଟାର୍ମରଙ୍କ ପ୍ରଥମ ଭାରତ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ମୁମ୍ବାଇରେ ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁକେ ପ୍ରଧାନମନ୍ତ୍ରୀ ଷ୍ଟାର୍ମର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଥିବା ଜିଓ ୱାର୍ଲ୍ଡ ସେଣ୍ଟରରେ ସିଇଓ ଫୋରମରେ ଅଂଶଗ୍ରହଣ କରିବେ।
ଏହି କାର୍ଯ୍ୟକ୍ରମରେ ଦୁଇ ପ୍ରଧାନମନ୍ତ୍ରୀ ଭିଜନ 2035 ସହିତ ଭାରତ-ୟୁକେ ରଣନୈତିକ ସହଭାଗୀତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ। ଭିଜନ 2035 ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଆଗାମୀ ଦଶ ବର୍ଷ ସମୟସୀମା ସହିତ ଏକ ରୂପରେଖ ପ୍ରଦାନ କରିବ ବୋଲି ଜଣାପଡିଛି।
ଏହା ମଧ୍ୟ ପଢ଼ନ୍ତୁ- ଆସନ୍ତା ସପ୍ତାହରେ ଭାରତ ଆସିବେ ବ୍ରିଟିଶ ପ୍ରଧାନମନ୍ତ୍ରୀ; ମୁମ୍ବାଇରେ ହେବ ମୋଦି-ଷ୍ଟାର୍ମର ସାକ୍ଷାତ

