ହାଇଦ୍ରାବାଦ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ-ଆମେରିକୀୟ ତହୱୁର ହୁସେନ ରାଣାକୁ ଆମେରିକା ଦ୍ୱାରା ପ୍ରତ୍ୟର୍ପଣ କରାଯାଇଛି। ୨୦୦୮ ମସିହାରେ ୧୬୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆକ୍ରମଣର ୧୭ ବର୍ଷ ପରେ ଗୁରୁବାର (୧୦ ଏପ୍ରିଲ୍, ୨୦୨୫) ଭାରତରେ ରାଣା ବିଚାରର ସମ୍ମୁଖୀନ ହେବବୋଲି ଆଶା କରାଯାଉଛି।
ତଦନ୍ତରେ ଜଡିତ ଅଧିକାରୀ ଏବଂ କୂଟନୈତିକ ସୂତ୍ରଗୁଡ଼ିକ ନିଶ୍ଚିତ କରିଛନ୍ତି ଯେ, ଆମେରିକା କର୍ତ୍ତୃପକ୍ଷ ମଙ୍ଗଳବାର ରାତିରେ କାଲିଫର୍ନିଆରେ (ବୁଧବାର ସକାଳ IST) 64 ବର୍ଷୀୟ ତହାୱୁର ରାଣାକୁ ଜାତୀୟ ତଦନ୍ତକାରୀ ସଂସ୍ଥା (NIA)ର ଏକ ସ୍ୱତନ୍ତ୍ର ଦଳକୁ ହସ୍ତାନ୍ତର କରିଛନ୍ତି। ଯେଉଁମାନେ ତାକୁ ଭାରତ ଫେରାଇ ଆଣିବା ପାଇଁ ଏକ ଭାରତୀୟ ବିମାନରେ ଆମେରିକା ଯାତ୍ରା କରିଥିଲେ। ସୂତ୍ରଗୁଡ଼ିକ କହିଛନ୍ତି ଯେ, ରାଣାକୁ ହେପାଜତକୁ ସ୍ଥାନାନ୍ତର କରାଯିବ ଏବଂ ବିଚାର ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ବିମାନଟି ପ୍ରଥମେ ଜାତୀୟ ରାଜଧାନୀ ଦିଲ୍ଲୀରେ ଅବତରଣ କରିବାର ସମ୍ଭାବନା ଅଛି।
ସୋମବାର ଦିନ ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜନ୍ ରବର୍ଟସ୍, ରାଣାର ରିଭ୍ୟୁ ପିଟିସନକୁ ଖାରଜ କରିଦେଇଥିଲେ, ଯାହା ପ୍ରତ୍ୟର୍ପଣ ବିରୁଦ୍ଧରେ ତାର ଶେଷ ଆବେଦନ ଥିଲା। "ମୁଖ୍ୟ ବିଚାରପତିଙ୍କ ନିକଟକୁ ସ୍ଥଗିତାଦେଶ ପାଇଁ ଆବେଦନକୁ ଖାରଜ କରାଯାଇଛି", ଏକ ଧାଡି ଆଦେଶରେ ଲେଖାଯାଇଥିଲା। ଗତ ଫେବୃଆରୀ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଣାର ପ୍ରତ୍ୟର୍ପଣ ନିଷ୍ପତ୍ତି ଘୋଷଣା କରିଥିଲେ।

ଭାରତକୁ ପ୍ରତ୍ୟର୍ପଣ ହେବା ପଥ ଏବେ ପ୍ରାୟ ସ୍ପଷ୍ଟ। ଏହି ନିଷ୍ପତ୍ତି କେବଳ ମୁମ୍ବାଇ ଆକ୍ରମଣର ପୀଡ଼ିତଙ୍କୁ ନ୍ୟାୟ ପାଇଁ ଏକ ପଦକ୍ଷେପ ନୁହେଁ ବରଂ ଡଜନ ଡଜନ କୁଖ୍ୟାତ ପଳାତକଙ୍କ ପାଇଁ ଏକ ଚେତାବନୀ, ଯେଉଁମାନଙ୍କୁ ଭାରତ ବର୍ଷ ବର୍ଷ ଧରି ବିଶ୍ୱର ବିଭିନ୍ନ କୋଣରୁ ଫେରାଇ ଆଣିବାକୁ ଚେଷ୍ଟା କରିଆସୁଛି। ବିଜୟ ମାଲ୍ୟାଙ୍କଠାରୁ ନୀରବ ମୋଦି, ଦାଉଦ୍ ଠାରୁ ଅନମୋଲ ବିଷ୍ନୋଇ ପର୍ଯ୍ୟନ୍ତ, ତାଲିକା ବହୁତ ଲମ୍ବା।
ଭାରତ ଯେଉଁ ପଳାତକମାନଙ୍କୁ ପ୍ରତ୍ୟର୍ପଣ କରିବାକୁ ଚାହୁଁଛି ସେମାନଙ୍କର ତାଲିକା:
ଦାଉଦ ଇବ୍ରାହିମ: ଭାରତ ଦାଉଦ ଇବ୍ରାହିମକୁ ଖୋଜୁଛି, ଯିଏ ୧୯୯୩ ମସିହାରେ ମୁମ୍ବାଇରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଆତଙ୍କବାଦୀ ଘୋଷିତ ଏବଂ ୱାଣ୍ଟେଡ୍। ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଅପରାଧୀଙ୍କ ବିରୁଦ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ଦୀର୍ଘ ଦିନ ଧରି ସାର୍କ ଦେଶଗୁଡ଼ିକ ମଧ୍ୟରେ ଏକ ପ୍ରତ୍ୟର୍ପଣ ଚୁକ୍ତି ପାଇଁ ଓକିଲାତି କରିଆସୁଛନ୍ତି।

ଅର୍ଶ ଦଲ୍ଲା: ଗ୍ୟାଙ୍ଗଷ୍ଟରରୁ ଆତଙ୍କବାଦୀ ହୋଇଥିବା ଅର୍ଶ ଦଲ୍ଲା ବର୍ତ୍ତମାନ କାନାଡାରେ ରହୁଛି। ତାକୁ ନିଷିଦ୍ଧ ଖଲିସ୍ତାନ ଟାଇଗର ଫୋର୍ସର ପ୍ରକୃତ ନେତା ବୋଲି ବିବେଚନା କରାଯାଏ। ସେ ଭାରତରେ ହତ୍ୟା, ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ ଏବଂ ଆତଙ୍କବାଦ ଭଳି 50ରୁ ଅଧିକ ମାମଲାରେ ଅଭିଯୁକ୍ତ। ୨୦୨୩ ମସିହାରେ ଅର୍ଶଦୀପ ସିଂହ ଗିଲ୍ ବା 'ଅର୍ଶ ଦଲ୍ଲା'କୁ 'ବ୍ୟକ୍ତିଗତ ଆତଙ୍କବାଦୀ' ଘୋଷଣା କରାଯାଇଥିଲା ଏବଂ ୨୦୨୨ ମସିହାରେ ତା ବିରୁଦ୍ଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଥିଲା। ତାକୁ ନିହତ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜରଙ୍କ ଜଣେ ନିକଟତର ସହଯୋଗୀ ବୋଲି ବିବେଚନା କରାଯାଏ। ସେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ସହିତ ସମ୍ପର୍କରେ ଥିବା ଜଣାପଡ଼ିଛି। ଅକ୍ଟୋବର 2024ରେ ଗିରଫ ହେବା ପରେ ପ୍ରତ୍ୟର୍ପଣ ପ୍ରୟାସ ଜୋରଦାର ହୋଇଥିଲା। ତଥାପି ଦଲ୍ଲା ଡିସେମ୍ବର 2024ରେ ଜାମିନ ପାଇଥିଲା।
ଅନମୋଲ ବିଷ୍ନୋଇ: ବାବା ସିଦ୍ଦିକି ହତ୍ୟା ସମେତ ଅନେକ ହାଇ-ପ୍ରୋଫାଇଲ୍ ଅପରାଧରେ ଜଡ଼ିତ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ସାନ ଭାଇ। ଏପ୍ରିଲ ମାସରେ ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳିକାଣ୍ଡ ଘଟଣାର ଦାୟିତ୍ୱ ନେବା ପରେ ବିଷ୍ନୋଇଙ୍କ ବିରୋଧରେ ଏକ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଥିଲା। ତାଙ୍କୁ ଗିରଫ କରିବା ପାଇଁ ସୂଚନା ପ୍ରଦାନ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ମଧ୍ୟ କରିଥିଲା। ମୁମ୍ବାଇ ପୋଲିସର ଜଣେ ଅଧିକାରୀ ନଭେମ୍ବରରେ କହିଥିଲେ ଯେ ଆମେରିକା କର୍ତ୍ତୃପକ୍ଷ ତାଙ୍କ ଦେଶରେ ଉପସ୍ଥିତି ବିଷୟରେ ଜଣାଇବା ପରେ, ସେମାନେ ତାଙ୍କ ପ୍ରତ୍ୟର୍ପଣ ପାଇଁ ଏକ ପ୍ରସ୍ତାବ ପଠାଇଥିଲେ।
ଗୋଲ୍ଡି ବ୍ରାର: କାନାଡାରେ ରହୁଥିବା ଗ୍ୟାଙ୍ଗଷ୍ଟର, ଯିଏକି ସତୀନ୍ଦରଜିତ ସିଂହ ନାମରେ ମଧ୍ୟ ଜଣାଶୁଣା। ହତ୍ୟା ଏବଂ ନିଶାଦ୍ରବ୍ୟ ଚାଲାଣ ସମେତ ଅନେକ ଅପରାଧ ପାଇଁ ଖୋଜାଖୋଜି କରାଯାଉଛି। ସେ ଜଣେ 'ଘୋଷିତ ଆତଙ୍କବାଦୀ' ଯିଏ ବବର ଖାଲସା ଇଣ୍ଟରନ୍ୟାସନାଲ ପାଇଁ କାମ କରେ। ତାଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇର ଜଣେ ଘନିଷ୍ଠ ସହଯୋଗୀ ବୋଲି ବିବେଚନା କରାଯାଏ। ଗତ ମାସରେ ଗୁରୁଗ୍ରାମର ଏକ ବାର୍ ଉପରେ "କ୍ରୁଡ୍ ବୋମା" ଆକ୍ରମଣ ସମୟରେ ଗିରଫ ହୋଇଥିବା ଜଣେ ବ୍ୟକ୍ତିକୁ ପଚରାଉଚରାରୁ ଜଣାପଡିଛି ଯେ, ବ୍ରାର ଚାନ୍ଦା ଆଦାୟ ଏବଂ ଆତଙ୍କ ମାଧ୍ୟମରେ ସଂଗଠନ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ।

ବିଜୟ ମାଲ୍ୟା: ପ୍ରଖ୍ୟାତ ମଦ ବ୍ୟବସାୟୀ ତଥା କିଙ୍ଗଫିସର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟା, 9 ହଜାର କୋଟି ଟଙ୍କାରୁ ଅଧିକ ଋଣ ଖିଲାପ ମାମଲାର ସମ୍ମୁଖୀନ ହୋଇ 2016 ମସିହାରେ ଭାରତରୁ ପଳାୟନ କରିଥିଲେ। ୨୦୧୯ ମସିହାରେ ଏହି ୟୁକେ ବାସିନ୍ଦାଙ୍କୁ ପଳାତକ ଘୋଷଣା କରାଯାଇଥିଲା। ସମ୍ପ୍ରତି ସିବିଆଇ କୋର୍ଟ ୧୮୦ କୋଟି ଟଙ୍କାର ଋଣ ଖିଲାପ ମାମଲାରେ ତାଙ୍କ ବିରୁଦ୍ଧରେ ଏକ ନୂତନ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି କରିଛନ୍ତି।

ନୀରବ ମୋଦି: ୧୪ ହଜାର କୋଟି ଟଙ୍କାର ପିଏନବି ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ୨୦୧୮ ମସିହାରେ ଭାରତରୁ ପଳାୟନ କରିଥିଲା। ସେହି ବର୍ଷ ତାକୁ ଲଣ୍ଡନରେ ଗିରଫ କରାଯାଇଥିଲା। ୨୫ ଫେବୃଆରୀ, ୨୦୨୧ରେ ବ୍ରିଟେନ ନୀରବ ମୋଦିର ପ୍ରତ୍ୟର୍ପଣକୁ ଅନୁମୋଦନ କରିଥିଲା। ଏହାପରେ ସେ ତାଙ୍କ ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରି ଆବେଦନ ଦାଖଲ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପ୍ରତି ପଳାତକ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା ଏବଂ ନୀରବ ମୋଦିଙ୍କ ପ୍ରତ୍ୟର୍ପଣକୁ ତ୍ୱରାନ୍ୱିତ କରିବା ପାଇଁ ବ୍ରିଟେନକୁ ତାଙ୍କର ଆହ୍ୱାନ ଦୋହରାଇଛନ୍ତି।

ମେହୁଲ ଚୋକସି: ମେହୁଲ ଚୋକସି ଜଣେ ପଳାତକ ଭାରତୀୟ ବ୍ୟବସାୟୀ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଠକେଇରେ ଗିରଫ ହୋଇଥିବା ଗୀତାଞ୍ଜଳି ଗ୍ରୁପର ମାଲିକ। ଅଭିଯୋଗ ହୋଇଛି ଯେ, ଚୋକସି-ନିରବ ମୋଦି ଯୋଡ଼ି ବ୍ୟାଙ୍କକୁ ୧୪ ହଜାର କୋଟି ଟଙ୍କାରୁ ଅଧିକ ଚୂନ ଲଗାଇଛନ୍ତି। ପିଏନବି ମାମଲାରେ ନାମ ଆସିବା ପରେ 65 ବର୍ଷୀୟ ମେହୁଲ ଚୋକସି ଜାନୁଆରୀ 2018ରେ ଭାରତରୁ ପଳାଇ ଯାଇଥିଲେ। ଅଧିକାରୀମାନେ କହିଛନ୍ତି ଯେ, ସେମାନେ ଏହି ପ୍ରକ୍ରିୟା ଉପରେ କାମ କରୁଛନ୍ତି ଯାହା ଦ୍ଵାରା ଚୋକସିକୁ ଶେଷରେ ଗିରଫ କରାଯାଇ ଭାରତକୁ ଅଣାଯାଇପାରିବ।

ସଞ୍ଜୟ ଭଣ୍ଡାରୀ: ପ୍ରତିରକ୍ଷା କ୍ଷେତ୍ରରେ ଜଣେ ପରାମର୍ଶଦାତା ଥିଲେ, ସଞ୍ଜୟ ଭଣ୍ଡାରୀ। ଏବେ ସେ ଭାରତରେ ଟିକସ ଫାଙ୍କି ଏବଂ ମନିଲଣ୍ଡରିଂ ଅଭିଯୋଗରେ ପଳାତକ ଅଛନ୍ତି। ସେ ଗତ ମାସରେ ଲଣ୍ଡନର ହାଇକୋର୍ଟରେ ପ୍ରତ୍ୟର୍ପଣ ଆଦେଶ ବିରୋଧରେ ଆବେଦନ କରିଥିଲେ। ୬୨ ବର୍ଷୀୟ ବ୍ୟକ୍ତିଙ୍କ ବିରୁଦ୍ଧରେ ବିଦେଶୀ ସମ୍ପତ୍ତି ଲୁଚାଇବା, ପୁରୁଣା କାଗଜପତ୍ର ବ୍ୟବହାର କରିବା, ଭାରତୀୟ ଟିକସ କର୍ତ୍ତୃପକ୍ଷଙ୍କୁ ଘୋଷଣା କରାଯାଇ ନଥିବା ସମ୍ପତ୍ତିରୁ ଲାଭ ଉଠାଇବା ଏବଂ ତା’ପରେ କର୍ତ୍ତୃପକ୍ଷଙ୍କୁ ଭୁଲ ସୂଚନା ଦେବାର ଅଭିଯୋଗ ରହିଛି ଯେ, ତାଙ୍କର କୌଣସି ବିଦେଶୀ ସମ୍ପତ୍ତି ନାହିଁ। ସେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ ଜୁନ୍ 2020ରେ ୟୁକେ ଗୃହ କାର୍ଯ୍ୟାଳୟ ପ୍ରଥମେ ଅନୁରୋଧକୁ ପ୍ରମାଣିତ କରିବା ପରଠାରୁ ତାଙ୍କ ପ୍ରତ୍ୟର୍ପଣ ବିରୁଦ୍ଧରେ ଲଢ଼ୁଛନ୍ତି।
ଲଳିତ ମୋଦି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରତିଷ୍ଠାତା ଏବଂ ପୂର୍ବତନ କମିଶନର ଲଳିତ ମୋଦିଙ୍କ ନାମ କ୍ରିକେଟ୍ ଲିଗ୍ରେ ଆର୍ଥିକ ଅନିୟମିତତା ଏବଂ ଅନ୍ୟାନ୍ୟ ଭୁଲ୍ କାର୍ଯ୍ୟ ସହିତ ଜଡ଼ିତ। ୨୦୧୦ ମସିହାରେ, ସେ ନିଲାମ ପ୍ରକ୍ରିୟା ଏବଂ ଟଙ୍କା ହେରଫେର ଅଭିଯୋଗ ମଧ୍ୟରେ ବ୍ରିଟେନ ଚାଲିଯାଇଥିଲେ। ତାଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ତଦନ୍ତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଥିଲେ ମଧ୍ୟ, ମୋଦି ଏବେ ବି ଯୁକ୍ତରାଜ୍ୟରେ ରହୁଛନ୍ତି।

ସନ୍ଦେଶରା ବନ୍ଧୁ: ସନ୍ଦେଶରା ବନ୍ଧୁ ଭାବେ ବେଶ୍ ଜଣାଶୁଣା ନୀତିନ ଏବଂ ଚେତନଙ୍କୁ ସେପ୍ଟେମ୍ବର 2020 ରେ ଅର୍ଥନୈତିକ ଅପରାଧୀ ଆଇନ ଅନୁଯାୟୀ ପଳାତକ ଘୋଷଣା କରାଯାଇଥିଲା। ସେ 2017ରେ ବ୍ୟାଙ୍କ ଋଣ ମାଧ୍ୟମରେ ଅନେକ ବ୍ୟାଙ୍କକୁ 14,500 କୋଟି ଟଙ୍କା ଠକି ନେଇ ଭାରତରୁ ପଳାଇ ଯାଇଥିଲେ। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଅନୁଯାୟୀ, ତାଙ୍କର ଶେଷ ଜଣାଶୁଣା ସ୍ଥାନ ନାଇଜେରିଆ ବୋଲି ଜଣାପଡ଼ିଛି।
ଜତୀନ୍ ମେହେଟ୍ଟା: ୱିନସମ୍ ଡାଇମଣ୍ଡସ୍ ଆଣ୍ଡ୍ ଜୁଏଲାରୀ ଲିମିଟେଡର ମାଲିକ ଜତୀନ୍ ମେହେଟ୍ଟାଙ୍କ ବିରୋଧରେ ପ୍ରାୟ 6,500 କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗ ରହିଛି। ରିପୋର୍ଟ ଅନୁସାରେ, ସେ ସେଣ୍ଟ କିଟ୍ସ ଏବଂ ନେଭିସକୁ ଚାଲିଯାଇ ସେଠାକାର ନାଗରିକ ହୋଇଛନ୍ତି । କାରିବିଆନ ଦେଶ ସହିତ ଭାରତର ପ୍ରତ୍ୟର୍ପଣ ଚୁକ୍ତିନାମା ନଥିବାରୁ ତାଙ୍କୁ ଆଇନଗତ ପ୍ରକ୍ରିୟାରେ ଫେରାଇ ଆଣିବା ପ୍ରୟାସ ବାଧାପ୍ରାପ୍ତ ହୋଇଛି।
ହିତେଶ କୁମାର ନରେନ୍ଦ୍ରଭାଇ ପଟେଲ: ହିତେଶ ପଟେଲଙ୍କ କମ୍ପାନୀ OPG ପାୱାର ଜେନେରେସନ ପ୍ରାଇଭେଟ୍ ଲିମିଟେଡ୍ 5,000 କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲା ସହିତ ଜଡ଼ିତ। ୨୦୧୯ ମସିହାରେ ଆଲବାନିଆରେ ଅଟକ ରହିବା ପରଠାରୁ ଭାରତ ତାଙ୍କୁ ପ୍ରତ୍ୟର୍ପଣ କରିବାକୁ ଚେଷ୍ଟା କରିଆସୁଛି।
ସୌରଭ ଚନ୍ଦ୍ରକର: ମହାଦେବ ବେଟିଂ ଆପର ପ୍ରମୋଟର ସୌରଭ ଚନ୍ଦ୍ରକର, ୨୦୨୩ ମସିହାରେ ଦୁବାଇରେ ଗିରଫ ହେବା ପରେ ତାଙ୍କୁ ମନି ଲଣ୍ଡରିଂ ଅଭିଯୋଗରେ ପ୍ରତ୍ୟର୍ପଣର ସମ୍ମୁଖୀନ ହେବାକୁ ପଡୁଛି।
ଏହା ମଧ୍ୟ ପଢ଼ନ୍ତୁ- ଆମେରିକାର କୋର୍ଟରୁ ତାହୱୁର ରାଣାକୁ ବଡ଼ ଝଟକା, ଏଣିକି ଭାରତ ପ୍ରତ୍ୟର୍ପଣ ନିଶ୍ଚିତ