ନୁଆଦିଲ୍ଲୀ: ଧୀରେ ଧୀରେ ଖୋଲୁଛି ଭାରତରୁ ପାକିସ୍ତାନ ପର୍ଯ୍ୟନ୍ତ ଲମ୍ବିଥିବା ଗୁପ୍ତଚରୀଙ୍କ ଚେର । ଶନିବାର ନ୍ୟାସନାଲ ଇନଭେଷ୍ଚିଗେସନ ଏଜେନ୍ସି (NIA) ସାରା ଦେଶରେ ଏକ ବଡଧରଣର ଅନୁସନ୍ଧାନ ଅଭିଯାନ ଚଳାଇଥିଲା । ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ଆଠଟି ରାଜ୍ୟର 15ଟି ସ୍ଥାନରେ ଛାପା ମାରିଥିଲା ଏନଆଇଏ । ରେଡ ଚାଲିଥିବା ବେଳେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ବା ସିଆରପିଏଫର ଜଣେ ଅଧିକାରୀଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି ।
କେଉଁଠି ହୋଇଥିଲା ରେଡ୍ ?
ପାକିସ୍ତାନ ଗୁପ୍ତଚର ସଂସ୍ଥାନ ପାଇଁ କାମ କରୁଥିବା ବ୍ୟକ୍ତିଙ୍କ ପର୍ଦ୍ଦାଫାଶ କରିବା ପାଇଁ ଶନିବାର ଏନଆଇଏ ଦିଲ୍ଲୀ, ମହାରାଷ୍ଚ୍ର, ହରିୟାନା, ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ, ଆସାମ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଅନୁସନ୍ଧାନ ଅଭିଯାନ ଆରମ୍ଭ ହୋଇଥିଲା । ଅଧିକାରୀଙ୍କ ଅନୁଯାୟୀ ଅନୁସନ୍ଧାନ ସମୟରେ ଇଲେକ୍ଟ୍ରୋନିକ୍ସ ଉପକରଣ ସହ ସମ୍ବେଦନଶୀଳ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧିତ କାଗଜପତ୍ର ଜବତ କରାଯାଇଛି । ଏହା ସହିତ ଆପରାଧିକ ଗତିବିଧି ସହ ଜଡିତ ବହୁ ସାମଗ୍ରୀ ମିଳିଥିବା ଅଧିକାରୀ ସୂଚନା ଦେଇଛନ୍ତି ।
ପାକିସ୍ତାନ ଗୁପ୍ତଚର ସଂସ୍ଥାନ ସହ ଲିଙ୍କ୍:
ସନ୍ଧାନ ସମୟରେ ମିଳିଥିବା ଏହି ସବୁ ଜିନିଷକୁ ଭଲ ଭାବରେ ଯାଞ୍ଚ କରାଯିବା ସହ ପାକିସ୍ତାନ ଗୁପ୍ତଚର ସଂସ୍ଥାନ ସହ କିପରି ଜଡିତ ତାର ଖୋଳତାଡ କରାଯିବ । ପାକିସ୍ତାନ ଗୁପ୍ତଚର ସଂସ୍ଥାନ ଭାରତରେ କିପରି ଭାରତ ବିରୋଧୀ ଗତିବିଧି ଚଳାଇଥିଲା ସେ ବିଷୟରେ ମଧ୍ୟ ତନାଘନା କରାଯିବ ବୋଲି ଅଧିକାରୀ କହିଥିଲେ । ଏନଆଇଏ ଦ୍ୱାରା ଟାର୍ଗେଟ୍ କରାଯାଇଥିବା ବ୍ୟକ୍ତି ମାନେ ପାକିସ୍ତାନ ଗୁପ୍ତଚର ସଂସ୍ଥାନ ସହ ଜଡିତ ଏବଂ ଭାରତରେ ଗୁପ୍ତଚର ଗତିବିଧି ପାଇଁ ଏମାନେ ଅର୍ଥନୈତିକ ବ୍ୟାପାରର ଜରିଆ ସାଜିଥିଲେ ବୋଲି ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ : ଓଡ଼ିଶାରେ ଚାଲିପାରିବନି ଆତଙ୍କୀ କାର୍ଯ୍ୟକଳାପ, ଭୁବନେଶ୍ୱରରେ ଖୋଲିବ NIA ଶାଖା ରାଉରକେଲାରୁ ବିସ୍ଫୋରକ ସାମଗ୍ରୀ ଲୁଟ୍; 48 ଘଣ୍ଟା ପରେ ବି ଟେର ପାଉନି ପୋଲିସ, NIA ଟିମର ତନାଘନା |
---|
ଦେଶ ବିରୋଧୀଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ:
NIA ଗତ ମେ 20ରେ ସିଆରପିଏଫର ସସ୍ପେଣ୍ଡ ହୋଇଥିବା ଏଏସଆଇ ମୋତିରାମ ଜାଟଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲା । ଅଭିଯୋଗ ଆନୁଯାୟୀ 2023 ମସିହାରୁ ଏଏସଆଇ ମୋତିରାମ ପାକିସ୍ତାନ ଗୁପ୍ତଚର ସଂସ୍ଥାନକୁ ବହୁ ସମ୍ବେଦନଶୀଳ ଗୁପ୍ତ ସୂଚନା ଦେଇଥିବା ପ୍ରକାଶ । ଜାତୀୟ ସୁରକ୍ଷା ସମ୍ବନ୍ଧିତ ସମ୍ବେଦନଶୀଳ ସୂଚନା ଦେଇ ବହୁ ଅର୍ଥ ବିଭିନ୍ନ ସୁତ୍ରରୁ ସେ ପାଇଥିଲେ ।
ଏଏସଆଇ ମୋତିରାମଙ୍କ ଦେଶ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ପଦବୀରୁ ବହିସ୍କାର କରାଯାଇଛି । ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ବିଭିନ୍ନ ଦଫା ଯଥା ଅଫିସିଆଲ ସିକ୍ରେଟ୍ ଆକ୍ଟ ଏବଂ ବେଆଇନ୍ ଗତିବିଧି (ନିବାରଣ) ଆକ୍ଟ ମୁତାବକ ମାମଲା ଦାଏର କରି ଅଧିକ ତଦନ୍ତ ଜାରି ରହିଛି ।