ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର 32ଟି ସ୍ଥାନରେ ଏନଆଇଏର ଚଢାଉ । ଆଜି (ଗୁରୁବାର) ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ (NIA) ଏହି ରେଡ୍ କରିଛି । ପାକିସ୍ତାନ ସମର୍ଥିତ ଆତଙ୍କବାଦର ଷଡଯନ୍ତ୍ର ହେଉଥିବା ଆଶଙ୍କାରେ NIA ଏହି ସ୍ଥାନ ମାନଙ୍କରେ ଛାନଭିନ ଆରମ୍ଭ କରିଛି ।
ଗୁରୁବାର ସକାଳୁ ଚାଲିଛି NIA ରେଡ୍:
ଜମ୍ମୁ ଓ କାଶ୍ମୀରର ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ଏହି ପ୍ରାୟ 32ଟି ସ୍ଥାନରେ ଗୁରୁବାର ସକାଳୁ NIA ରେଡ୍ ଜାରି ରଖିଛି । ବିଶେଷ ସୁତ୍ରରୁ ଖବର ମିଳିବା ପରେ NIA ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି ଏନଆଇଏ । ଆତଙ୍କବାଦୀ ସଂଗଠନଙ୍କ ସହ ଜଡିତ ବିଭିନ୍ନ ବ୍ୟକ୍ତିଙ୍କ ବିରୋଧରେ 2022 ମସିହାରେ ରୁଜୁ କରାଯାଇଥିବା ଏକ କେସ୍ ସହ ଲିଙ୍କ ଖୋଜୁଛି ଏନଆଇଏ ।
ଆକ୍ସନ ମୋଡରେ NIA:
ଏହି ଛାନଭିନ ଦ୍ୱାରା ଜମ୍ମୁ ଅଞ୍ଚଳରେ ଖେଳି ରହିଥିବା ଆତଙ୍କବାଦୀଙ୍କ ଶାଖାକୁ ନଷ୍ଟ କରିବା ପାଇଁ NIA ଏହି ଅଞ୍ଚଳରେ ଜୋରସୋରରେ ତଦନ୍ତ ଅଭିଯାନ ଚଳାଇଛି । ଆତଙ୍କବାଦୀ ମାନଙ୍କ ପାଇଁ ଗୁପ୍ତ ଭାବେ କାମ କରୁଥିବା ବ୍ୟକ୍ତି ମାନେ ଜମ୍ମୁ ଅଞ୍ଚଳର ଶାନ୍ତିପ୍ରିୟ ଜନତା ତଥା ଯୁବକ ମାନଙ୍କୁ ଆତଙ୍କବାଦ ମାନସିକତାରେ ଅନୁପ୍ରାଣିତ କରି ଏହି ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରୁଛନ୍ତି । ଏହାକୁ ରୋକିବା ପାଇଁ ଆକ୍ସନ ମୋଡରେ ଆସିଛି NIA ।
ଆତଙ୍କବାଦୀ ଗତିବିଧି:
ଗତବର୍ଷ ମେ ମାସ 11 ତାରିଖରେ NIA ଜମ୍ମୁ ଅଞ୍ଚଳର 6ଟି ସ୍ଥାନରେ ଛାନଭିନ ଚଳାଇଥିଲା । ଏହି ଅଞ୍ଚଳରେ ଭାରତ ଦ୍ୱାରା ପ୍ରତିବନ୍ଧକ ଲଗାଯାଇଥିବା ଆତଙ୍କବାଦୀ ସଂସ୍ଥା ଦ୍ୱାରା ବିଭିନ୍ନ ସମୟରେ ଆତଙ୍କବାଦୀ କାର୍ଯ୍ୟକଳାପ କରାଯାଉଥିଲା । ଏହି ଅଞ୍ଚଳରେ ବୋମା ବିସ୍ଫୋରଣ, ନିରୀହଙ୍କ ଉପରେ ଆକ୍ରମଣ, IED ଚାଲାଣ ଏବଂ ଜମ୍ମୁ ଓ କାଶ୍ମୀରର ବିଭିନ୍ନ ଅଞ୍ଚଳକୁ ହତିଆର ଯୋଗାଣ ଭଳି ସଂଗୀନ ଅପରାଧିକ ଗତିବିଧି ଚଳାଇଥିଲା ଆତଙ୍କବାଦୀ ସଂସ୍ଥା ।
NIA ଏହା ବିରୁଦ୍ଧରେ ତଦନ୍ତ ଚଳାଇଥିଲା ଯାହା ଫଳରେ ବହୁ ଆପରାଧିକ ସାମଗ୍ରୀ, ଡିଜିଟାଲ ଡିଭାଇସ୍ , ବହୁ କାଗଜପତ୍ର ଏବଂ ଏଥି ସହ ଜଡିତ ବହୁ ଆତଙ୍କବାଦୀଙ୍କ କ୍ୟାଡର ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଥିଲା । ଲସ୍କର-ଓ-ତୋଇବା, ଜୈସ୍-ଏ-ମହମଦ୍, ହିଜବୁଲ-ମୁଜାହିଦ୍ଦିନ୍, ଅଲ୍-ବଦର ଏବଂ ଅଲ୍-କାଏଦା ଭଳି ଆତଙ୍କବାଦୀ ସଂସ୍ଥା ମାନେ, ଏହି ଅଞ୍ଚଳରେ ହେଉଥିବା ବିଭିନ୍ନ ଆତଙ୍କବାଦୀ କାର୍ଯକଳାପ ପଛରେ ସାମିଲ ଥିଲେ ।
ଏହି ଆତଙ୍କବାଦୀ ସଂସ୍ଥା ମାନେ ଭାରତ ମାଟିରେ ନିଜର କାୟା ବିସ୍ତାର କରି ଆହୁରି ଅନେକ ଆତଙ୍କବାଦୀ ଶାଖା ସ୍ଥାପନ କରିଛନ୍ତି ଯାହା ଭାରତରେ ଆତଙ୍କବାଦୀ ଗତିବିଧିକୁ ରୂପରେଖ ଦେବାରେ ସାହାଯ୍ୟ କରିଥାନ୍ତି । ସେହି ସଂସ୍ଥା ଗୁଡିକ ମଧ୍ୟରେ ଦି ରେଜିଷ୍ଟାନ୍ଟ ଫ୍ରଣ୍ଟ, ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଜମ୍ମୁ ଆଣ୍ଡ୍ କାଶ୍ମୀର, ଜମ୍ମୁ ଆଣ୍ଡ୍ କାଶ୍ମୀର ଫ୍ରିଡମ୍ ଫାଇଟର୍ସ, କାଶ୍ମୀର ଟାଇଗର୍ସ ଏବଂ ଏପରି ବହୁ ଛୋଟ ବଡ ଆତଙ୍କବାଦୀ ସଂସ୍ଥା ପ୍ରମୁଖ । ଜୁନ୍ 21 ତାରିଖ 2022 ମସିହାରେ NIA ଏହି ଆତଙ୍କବାଦୀ ସଂସ୍ଥାକୁ ମୂଳପୋଛ କରିବା ନିମନ୍ତେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଗତ ଏପ୍ରିଲ ମାସ 22 ତାରିଖରେ କାଶ୍ମୀରର ପହଲଗାମ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 26 ଜଣ ପ୍ରାଣ ହରାଇଥିଲେ । ଏହାର ଜବାବରେ ଭାରତ ସରକାର ଆତଙ୍କବାଦୀଙ୍କ ବିରୁଦ୍ଧରେ 'ଅପରେସନ୍ ସିନ୍ଦୂର' ଆରମ୍ଭ କରିଥିଲେ । ଏବଂ ଏହା ପରଠାରୁ ଭାରତ ମାଟିରେ ଭାରତର ସୁରକ୍ଷାକୁ ବିପନ୍ନ କରୁଥିବା ଆତଙ୍କବାଦୀ ମାନଙ୍କ ଷଡଯନ୍ତ୍ରକୁ ବିଫଳ କରିବାରେ ଲାଗିଛି NIA ।