ETV Bharat / bharat

MTech ଷ୍ଟୁଡେଣ୍ଟରୁ ମାଓ କମାଣ୍ଡର : କିଏ କେଶବ ରାଓ ? ଯିଏ ସୁରକ୍ଷାବଳର ନିଦ ଉଡ଼ାଇ ଦେଇଥିଲା

ନମ୍ୱଲ୍ଲା କେଶବ ରାଓ ଓରଫ ବାସଭରାଜୁ । ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ବହୁ ଚର୍ଚ୍ଚିତ ନାମ । ଗରିଲା ଯୁଦ୍ଧରେ ଥିଲା ମାହିର। ଦୀର୍ଘ 40 ବର୍ଷ ଧରି ଚଲାଇଥିଲା ଲାଲ ଆତଙ୍କ।

Maoist Namballa Keshava Rao Basavaraju
Maoist Namballa Keshava Rao Basavaraju (ETV Bharat)
author img

By ETV Bharat Odisha Team

Published : May 22, 2025 at 4:01 PM IST

3 Min Read
Choose ETV Bharat

NAMBALLA KESHAVA RAO MAOIST ହାଇଦ୍ରାବାଦ: ଦେଶରେ ଚାଲିଛି ନକ୍ସଲବାଦ ନିପାତ ଅଭିଯାନ । ଭାରତ ସରକାରଙ୍କ ପକ୍ଷରୁ ଆଗାମୀ 2026 ମାର୍ଚ୍ଚ 31 ସୁଦ୍ଧା ନକ୍ସଲମୁକ୍ତ ରାଷ୍ଟ୍ର ଗଠନ ପାଇଁ ଲକ୍ଷ୍ୟ ରକ୍ଷାଯାଇଥିବା ବେଳେ, ଏଥିପାଇଁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ ଏବଂ ଓଡ଼ିଶା ସମେତ ମାଓପ୍ରବଣ ଅଞ୍ଚଳରେ ସୁରକ୍ଷାବଳ ଦ୍ୱାରା ମାଓବାଦୀ ବିରେଧୀ ଅପରେସନ୍ ଜାରି ରହିଛି । ଛତିଶଗଡ଼-ତେଲେଙ୍ଗାନା ସାମାରେ ହୋଇଥିବା ଅପରେସନରେ 27 ମାଓବାଦୀ ନିହତ ହୋଇଛନ୍ତି । ତେବେ ମୃତ ନକ୍ସଲଙ୍କ ମଧ୍ୟରେ ସବୁଠୁ ଚର୍ଚ୍ଚାରେ ଥିଲେ କୁଖ୍ୟାତ ମାଓନେତା ନେତା ନମ୍ୱଲ୍ଲା କେଶବ ରାଓ । ବସଭରାଜୁ ଏବଂ ଗଗନ ଭଳି ଛଦ୍ମନାମର ଆଢୁଆଳରେ ରହି, ଦଶନ୍ଧି ଦଶନ୍ଧି ଧରି ଲାଲ ଆତଙ୍କ ଚଳାଇ ଆସୁଥିବା କେଶବ ରାଓର ଅନ୍ତ ଘଟିଛି । କିଏ ଏହି ମାଓନେତା କେଶବରାଓ ଓରଫ ବାସଭରାଜୁ ? କେବେଠୁ ଚଳାଇ ଆସୁଥିଲା ନକ୍ସଲ ଆଡ୍ଡା ? କେଉଁଠି ଥିଲା ଏହି ଲାଲଗଡ଼ର ରାଜା ? ଆସନ୍ତୁ ଜାଣିବା...

ନମ୍ୱଲ୍ଲା କେଶବ ରାଓ, ଏହି ନାମଟି ଆନ୍ଧ୍ରପ୍ରଦେଶ ତଥା ତେଲେଙ୍ଗାନାରେ ବହୁ ଚର୍ଚ୍ଚିତ । ଯଦି ଆପଣ ନକ୍ସଲବାଦୀ ଆନ୍ଦୋଳନ ବିଷୟରେ ଧାରଣା ରଖନ୍ତି ତେବେ ଏହି ନାମ ସହିତ ଆପଣ ଖୁବ୍ ପରିଚିତ ଥିବେ । ବିଗତ ଚାରି ଦଶନ୍ଧି ଧରି ଏହି କୁଖ୍ୟାତ ମାଓନେତା ସୁରକ୍ଷାକର୍ମୀଙ୍କ ନିଦ ହଜାଇ ଦେଇଥିଲା । ପରିଶେଷରେ ବୁଧବାର ଛତିଶଗଡର ବସ୍ତର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଭୀଷଣ ଗୁଳି ବିନିମୟରେ ଏହି କୁଖ୍ୟାତ ମାଓନେତା ନିପାତ ହୋଇଛି । ତେବେ ନମ୍ୱଲ୍ଲା କେଶବ ରାଓ କିଏ ଥିଲେ ? କିପରି ଉଚ୍ଚ ଶିକ୍ଷିତ ଆଇଟି ପ୍ରୋଫେସନାଲରୁ କୁଖ୍ୟାତ ମାଓନେତା ହେଲେ ?

ପ୍ରାରମ୍ଭିକ ଜୀବନ:

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଜିୟାନପେଟରେ 1955 ମସିହା 10 ଜୁଲାଇରେ ନମ୍ୱଲ୍ଲା କେଶବ ରାଓଙ୍କ ଜନ୍ମ । ପିଲାଟି ବେଳୁ ପାଠ ସହିତ ଖେଳ ପ୍ରତି ଥିଲା ଆଗ୍ରହ । ଯୁବାବସ୍ଥାରେ ଭଲ କବାଡି ଖେଳୁଥିଲେ । ନମ୍ୱଲ୍ଲା ଜଣେ ଉଚ୍ଚ ଶିକ୍ଷିତ ମଧ୍ୟ ଥିଲେ । ରିଜୋନାଲ୍ ଇଞ୍ଜିନିୟରିଂ କଲେଜ୍, ୱାରଙ୍ଗଲରୁ ବିଟେକ୍ ଏବଂ ଏମଟେକ୍ ଶିକ୍ଷା ଗ୍ରହଣ କରିଥିଲେ । ଏହା ସହିତ ଆନ୍ଧ୍ରପ୍ରଦେଶର ରାଜ୍ୟସ୍ତରୀୟ ଭଲିବଲ୍ ଦଳର ପ୍ରତିନିଧିତ୍ୱ କରିଥିଲେ । ତାଙ୍କ ପିତା ଜଣେ ଶିକ୍ଷକ ଥିଲେ ।

କେଶବ ରାଓ: ବ୍ୟକ୍ତି ଏକ, ନାମ ଅନେକ ?

ବହୁ ଛୋଟ ବୟସରୁ ସେ ନକ୍ସଲବାଦ ଆଦର୍ଶ ପ୍ରତି ଅନୁପ୍ରାଣିତ ଥିଲେ । 1970 ମସିହାରେ ହୋଇଥିବା କୃଷକ ଆନ୍ଦୋଳନ ଦ୍ୱାରା ଖୁବ୍ ପ୍ରଭାବିତ ହୋଇଥିଲେ କେଶବ ରାଓ । 1980 ମସିହାରେ ସେ ସକ୍ରିୟ ମାଓବାଦୀ ଆନ୍ଦୋଳନରେ ଯୋଗ ଦେଇଥିଲେ । ଗଗନ, କ୍ରିଷ୍ନା, ନରସିଂହ ଓ ପ୍ରକାଶ ପରି ବହୁ ଛଦ୍ମନାମର ବ୍ୟବହାର କରି ସେ ନିଜର ପରିଚୟ ଲୁଚାଉଥିଲେ । 1985 ମସିହାରେ ସେ ସମ୍ପୂର୍ଣ୍ଣ ଭାବେ ଲୁଚି ଯାଇଥିଲେ ।

ସେ ପ୍ରଥମେ ପିପୁଲ୍ସ ୱାର୍ ଦଳ ଗଠନ କରିଥିଲେ । ନିଜର ପ୍ରାରମ୍ଭିକ ଦିନରେ ସେ ପୂର୍ବ ଗୋଦାବରୀ ଓ ବିଶାଖାପାଟଣାର ଜିଲ୍ଳାରେ କାମ କରିଥିଲେ । ସେ ବସ୍ତର ଜଙ୍ଗଲରେ ଅତ୍ୟାଧୁନିକ ଗରିଲା ଯୁଦ୍ଧ ସମ୍ପର୍କିତ ତାଲିମ ନେଇଥିଲେ । ପ୍ରମୁଖ ମାଓବାଦୀ ନେତା ମଲୋଜୁଲା କୋଟେଶ୍ୱର ଏବଂ ବହୁ ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ୍ ଇଲମ୍ ବା ଏଲଟିଟିଇର ପୂର୍ବତନ ଦୁର୍ଦ୍ଦଶ ମାଓନେତାଙ୍କ ତତ୍ୱାବଧାନରେ ଗରିଲା ଯୁଦ୍ଧଶୈଳୀ, ଲୁଚି ଧୋକା ଦେବାର କଳା ତଥା ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତିର ତାଲିମ ନେଇଥିଲେ ।

2004 ମସିହାରେ ମାଓବାଦୀ ସଂଗଠନ ସିପିଆଇ ଓ ପିପୁଲ୍ସ ୱାର୍ ଦଳର ମିଶ୍ରଣ ହୋଇଥିଲା । ବସଭାରାଜୁଙ୍କୁ ଏହି ସଂଗଠନର ସାମରିକ ସଚିବ ଭାବେ ନିଯୁକ୍ତ କରାଯାଇଥିଲା । ଯେଉଁଠାରେ ସେ ସଶସ୍ତ୍ର ଅଭିଯାନ ଏବଂ ରଣନୀତି ଗୁଡିକର ସମୀକ୍ଷା କରୁଥିଲେ । ତାଙ୍କୁ 2018 ମସିହାରେ ମାଓ ସଂଗଠନ ସିପିଆଇର ସାଧାରଣ ସମ୍ପାଦକ ଭାବେ ଚୟନ କରାଯାଇଥିଲା ।

ଗରିଲା ଯୁଦ୍ଧନୀତିରେ ମାହିର କେଶବ ରାଓ :

ବସଭାରାଜୁଙ୍କୁ ଚିହ୍ନଟ କରିବାରେ ବହୁ ଅସୁବିଧା ହେଉଥିଲା କାରଣ ବର୍ତ୍ତମାନର କୌଣସି ଫଟୋ ଉପଲବ୍ଧ ନଥିଲା । ସେ ପ୍ରମୁଖତଃ ଛତିଶଗଡ, ତେଲେଙ୍ଗାନା ଓ ମହାରାଷ୍ଚ୍ରର କେତେକ ଅଂଶରେ ସକ୍ରିୟ ଥିଲେ। ନକ୍ସଲବାଦୀଙ୍କ ଆକ୍ରମଣ ନିମନ୍ତେ ରଣନୀତି ପ୍ରସ୍ତୁତି ତଥା ଗରିଲା ଯୁଦ୍ଧନୀତି ଓ ଆଇ.ଇ.ଡି (IED) ଭଳି ବିସ୍ଫୋରକ ଲଗାଇବାରେ ଦକ୍ଷତା ହାସଲ କରିଥିଲେ ।

ଗରିଲା ଯୁଦ୍ଧନୀତିରେ ପାରଦର୍ଶିତା ହାସଲ କରି ସେ ପ୍ରମୁଖ ମାଓବାଦୀ ନେତାଙ୍କ ମଧ୍ୟରୁ ଅନ୍ୟତମ ହୋଇପାରିଥିଲେ । ସେ ପିପୁଲ୍ସ ୱାର୍ ନାମକ ସଂଗଠନର ଅନ୍ୟତମ ପ୍ରତିଷ୍ଠାତା ଥିଲେ । ସିପିଆଇ ସହିତ ଏହାର ମିଶ୍ରଣ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । 2018 ମସିହାରେ ମାଓସଂଗଠନ ସିପିଆଇର ସାଧାରଣ ସମ୍ପାଦକ ମ୍ମୁପ୍ପାଲା ଲକ୍ଷ୍ମଣ ରାଓଙ୍କ ଇସ୍ତଫା ପରେ ସେ ଏହି ପଦବୀର ଦାୟିତ୍ୱ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ :

ବଲାଙ୍ଗୀର ପୋଲିସକୁ ସଫଳତା; କୁମ୍ବିଂ ବେଳେ ଛତ୍ରଭଙ୍ଗ ଦେଲେ ମାଓବାଦୀ,

ବିପୁଳ ମାଓ ସାମଗ୍ରୀ ଜବତଛତିଶଗଡ଼-ତେଲଙ୍ଗାନା ସୀମାରେ ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟର, ୩ ମାଓବାଦୀ ମୃତ

ମାଓ ହମଲାର ମାଷ୍ଟରମାଇଣ୍ଡ :

ବହୁ ଦୁର୍ଦ୍ଦଶ ଏବଂ ନୃଶଂସ ମାଓବାଦୀ ଆକ୍ରମଣ ପଛରେ ବସଭରାଜୁ ଥିଲେ ମାଷ୍ଟରମାଇଣ୍ଡ । 2010 ମସିହାରେ ଛତିଶଗଡର ଦାନ୍ତେୱାଡାଠାରେ ମାଓବାଦୀଙ୍କ ଆକ୍ରମଣରେ 76 ଜଣ CRPF କର୍ମୀଙ୍କ ମୃତ୍ୟୁ, 2019 ମସିହରେ ମହାରାଷ୍ଟ୍ରରେ ଗଡଚିରୋଲି ଆକ୍ରମଣ ଯେଉଁଥିରେ 15 ଜଣଙ୍କ ମୃତ୍ୟୁ ଘଟିଥିଲା । ଆନ୍ଧ୍ରପ୍ରଦେଶର ଆରାକୁ ଅଞ୍ଚଳରେ ଟିଡିପି ନେତା କିଦାରି ସର୍ବେଶ୍ୱର ରାଓଙ୍କ ହତ୍ୟା ଏବଂ 2013 ମସିହାରେ ଦର୍ଭା ଉପତ୍ୟକା ଠାରେ ହୋଇଥିବା ଆକ୍ରମଣରେ ବରିଷ୍ଠ କଂଗ୍ରେସ ନେତା ମହେନ୍ଦ୍ର କର୍ମା ଓ ନନ୍ଦ କୁମାର ପଟେଲଙ୍କ ସମେତ 27 ଜଣଙ୍କୁ ହତ୍ୟା କରାଯାଇଥିଲା ।

  • 2010: ଛତିଶଗଡ ଦାନ୍ତେୱାଡା ମାଓବାଦୀ ଆକ୍ରମଣ, 76 CRPF ଯବାନ ସହିଦ
  • 2019: ମହାରାଷ୍ଟ୍ର ଗଡ଼ଚିରୋଲି ଆକ୍ରମଣ, 15 ମୃତ
  • ଆନ୍ଧ୍ରପ୍ରଦେଶ ଆରାକୁରେ ଟିଡିପି ନେତା କିଦାରୀ ସର୍ବେଶ୍ୱର ରାଓଙ୍କୁ ହତ୍ୟା
  • 2013: ବରିଷ୍ଠ କଂଗ୍ରେସ ନେତା ମହେନ୍ଦ୍ର କର୍ମା ଓ ନନ୍ଦ କୁମାର ପଟେଲଙ୍କ ସମେତ 27ଙ୍କୁ ହତ୍ୟା

2024 ମସିହାରେ ସରକାରଙ୍କ ମାଓବାଦୀ ବିରୋଧୀ ଅଭିଯାନ ମୁଖ୍ୟତଃ ମାଓପ୍ରବଣ ଅଞ୍ଚଳ ଛତିଶଗଡରେ ବଳବତ୍ତର ହେବାରୁ ମାଓବାଦୀଙ୍କ ଅଣ୍ଟା ଭାଙ୍ଗିବାରେ ଲାଗିଛି । ବାସଭରାଜୁ ବହୁ ଉଚ୍ଚସ୍ତରୀୟ ସର୍ଚ୍ଚ ତଥା କମ୍ୱିଂ ଅପରେସନରେ ଟାର୍ଗେଟରେ ରହିଥିଲା । ଛତିଶଗଡ-ତେଲେଙ୍ଗାନା ସୀମାସ୍ଥିତ କେରେଗୁଟାର ମାଓବାଦୀଙ୍କ ବଙ୍କରଠାରେ ହୋଇଥିବା ବଡଧରଣର କମ୍ୱିଂ ଅପରେସନ, ବାସଭରାଜୁଙ୍କୁ ଧରିବା ପାଇଁ କରାଯାଇଥିଲା ।

ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ବିପଦରେ ପକାଇଆସୁଥିବା ବାସଭରାଜୁର ମୃତ୍ୟୁ, ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା ଦେଇଛି । ଗରିଲା ଯୁଦ୍ଧନୀତିରେ ପାରଙ୍ଗମ ବାସଭରାଜୁ ମାଓପ୍ରବଣ ଅଞ୍ଚଳରେ ସୁରକ୍ଷାବଳଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଥିଲା । ପରିଶେଷରେ ଉଚ୍ଚ ଶିକ୍ଷିତ ବସଭାରାଜୁର ଯନ୍ତ୍ରଣାଦାୟକ ଅବସାନ ଘଟିଲା ।