ଅହମ୍ମଦାବାଦ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଗୋଟିଏ ଦିନ ପରେ ଅହମ୍ମଦାବାଦ ମେଘାନୀ ନଗରର ବାସିନ୍ଦାମାନେ ଏପର୍ଯ୍ୟନ୍ତ ଆଘାତରୁ ମୁକୁଳି ପାରିନାହାଁନ୍ତି। ସେମାନେ ସେହି ଭୟଙ୍କର କଳା ଗୁରୁବାରର ଅପରାହ୍ନକୁ କେବେ ଭୁଲିପାରିବେ ନାହିଁ। ଯେଉଁଥିରେ ଚାଲିଯାଇଛି ଅନେକଙ୍କର ଜୀବନ।
ଇଟିଭି ଭାରତ ମେଘାନୀ ନଗରର ଦୁର୍ଘଟଣାସ୍ଥଳ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳ ପରିଦର୍ଶନ କରିବା ସମୟରେ ଗତକାଲିର ଛାତିଥରା ଦୃଶ୍ୟ ବର୍ଣ୍ଣନା କରିଥିଲେ ସ୍ଥାନୀୟ ବାସିନ୍ଦା।

ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଏୟାର ଇଣ୍ଡିଆର ଡ୍ରିମଲାଇନର୍ AI 171 ସେମାନଙ୍କ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ପରେ କିପରି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ତାହା ବର୍ଣ୍ଣନା କରିଥିଲେ। ବିଶ୍ୱର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ମଧ୍ୟରୁ ଗୋଟିଏ ସେମାନଙ୍କ ଘର ନିକଟରେ ଘଟିଯାଇଛି। ଯାହା ଫଳରେ ବହୁତ ଲୋକ ଜୀବନ ହରାଇଛନ୍ତି ଏବଂ ତାଲିମପ୍ରାପ୍ତ ଡାକ୍ତରଙ୍କ ପାଇଁ ଏକ ବହୁମହଲା ବାସସ୍ଥାନ ଧ୍ୱଂସ ହୋଇଛି।
ବିମାନ ଦୁର୍ଘଟଣା ପରେ ବିମାନ ଟାଙ୍କିରେ ଲକ୍ଷାଧିକ ଲିଟର ଇନ୍ଧନ ତୁରନ୍ତ ଜଳିଯିବା ଯୋଗୁଁ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡ ସାଙ୍ଗକୁ ପ୍ରଚଣ୍ଡ ଶବ୍ଦ ସମସ୍ତଙ୍କ କାନ ଅତଡ଼ା ପକାଇ ଦେଇଥିଲା। ଯାହା ପରେ ନିଆଁ ସହିତ ଘନ ଧୂଆଁ ଅପରାହ୍ନରେ କିଛି ସମୟ ପାଇଁ ସମ୍ପୂର୍ଣ୍ଣ ଅନ୍ଧକାର ପରିବେଶ ସୃଷ୍ଟି କରିଥିଲା।

ପୋଲିସ ବିଭାଗରେ କାର୍ଯ୍ୟରତ ତାଙ୍କ ସ୍ୱାମୀ ସଞ୍ଜୟ ପଟାନି ନିୟମିତ ଭାବେ ଡ୍ୟୁଟି ପାଇଁ ଚାଲିଯିବା ପରେ ରେୱାବେନ୍ ପଟାନି ଏବଂ ତାଙ୍କ ପୁଅ ଦୀପକ ପଟାନି ଘରେ ଥିଲେ। ସେମାନେ ଦ୍ବିପ୍ରହର ଖାଦ୍ୟ ଖାଇ ସାରି ସେମାନଙ୍କର ନିତିଦିନିଆ କାର୍ଯ୍ୟରେ ବ୍ୟସ୍ତ ହେବାକୁ ଯାଉଥିଲେ, ସେତେବେଳେ ସେମାନେ ଏକ ଜୋରଦାର ଶବ୍ଦ ଶୁଣିଲେ, ଯାହା ସେମାନଙ୍କ କାନର ପରଦା ଫଟାଇଦେଲା ଭଳି ଅନୁଭବ ହୋଇଥିଲା। ଭୟଙ୍କର ଅବସ୍ଥାରେ ସେମାନେ କ'ଣ ଘଟୁଛି ଜାଣିବା ପାଇଁ ଘରୁ ବାହାରକୁ ଧାଇଁ ଆସିଲେ। ସେମାନେ ସେମାନଙ୍କ ଘରର ପରିବେଶରେ ଏକ ବିରାଟ ପରିବର୍ତ୍ତନ ଦେଖିବାକୁ ପାଇଥିଲେ ଏବଂ ସମ୍ପୂର୍ଣ୍ଣ ପରିବେଶ ଅନ୍ଧକାର ଥିଲା।
ସେନା କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନ ପାଖରେ ପଟାନି ପରିବାରର ଘର ଅବସ୍ଥିତ। ସେମାନେ ନିଜ ସାମ୍ନାରେ ଯେଉଁସବୁ ଦୃଶ୍ୟ ଦେଖିଲେ, ସେ ଆଘାତରୁ ସେମାନେ ଏପର୍ଯ୍ୟନ୍ତ ମୁକୁଳି ପାରିନାହାଁନ୍ତି। ଦୁର୍ଘଟଣା ପରେ ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାିଥିଲା।

"ପ୍ରଥମେ ଏକ ବହୁତ ବଡ଼ ବିସ୍ଫୋରଣ ହେଲା। ତା'ପରେ ସବୁଠି ଅନ୍ଧାର ଘୋଟିଗଲା। କିଛି ସମୟ ପରେ, ବହୁତ ଲୋକ ଏକାଠି ହେଲେ। ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ପରିବେଶରେ ବହୁତ ପରିବର୍ତ୍ତନ ଆସିଛି," ବୋଲି ପଟାନି ପରିବାରର ସଦସ୍ୟ ଏବଂ ମେଘାନି ନଗରର ବାସିନ୍ଦା ରେୱାବେନ୍ ପଟାନି କହିଛନ୍ତି।
ଅନ୍ୟପକ୍ଷରେ ତାଙ୍କ ପୁଅ ଦୀପକ ପଟାନି କହିଛନ୍ତି, "ଦୁର୍ଘଟଣା ସ୍ଥଳ ଦେଖିବାକୁ ଅନେକ ଲୋକ ଏଠାକୁ ଆସିଛନ୍ତି। ଜୋରରେ ଶବ୍ଦ ଶୁଣି ଆମେ ବହୁତ ଭୟଭୀତ ହୋଇଗଲୁ। ଆମେ ପିଲାମାନଙ୍କୁ ଖାଲି କରି ଖୋଲା ପଡ଼ିଆକୁ ନେଇଗଲୁ। ଦୁର୍ଘଟଣାର ଗୋଟିଏ ଘଣ୍ଟା ମଧ୍ୟରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚିଗଲେ।"
ଦୁର୍ଘଟଣାସ୍ଥଳର ଆଖପାଖ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗୋଟିଏ ମୁହୂର୍ତ୍ତରେ ଅଞ୍ଚଳଟି ନାଟକୀୟ ଭାବେ ଛାରଖାର ହୋଇଯାଇଥିଲା। ଚାରିପାଖରେ ଥିବା ସବୁଜ, ଘନ ଗଛ ପୋଡ଼ି ଯାଇଥିବା ବେଳେ କଙ୍କାଳ ପରି ସେଠାରେ କଳା ଅବଶେଷ ଠିଆ ହୋଇଗଲା। ବିମାନଟି ସିଧାସଳଖ ପଟାନିଙ୍କ ଘରଠାରୁ ମାତ୍ର କିଛି ମିଟର ଦୂରରେ ଥିବା କୋଠା ଉପରେ ଖସି ପଡ଼ିଥିଲା। ପଟାନି ପରିବାର କହିଛନ୍ତି ଯେ, ସବୁଜ ପରିବେଶରେ ପ୍ରତିଦିନ ମାଙ୍କଡ଼ ଏବଂ ମୟୂରମାନେ ଯାତାୟାତ କରୁଥିଲେ, କିନ୍ତୁ ବର୍ତ୍ତମାନ ଦୁର୍ଘଟଣା ପରେ ଗୋଟିଏ ବି ପଶୁ କିମ୍ବା ପକ୍ଷୀ ସେଠାକୁ ଆସି ନାହାଁନ୍ତି।

ଏହା ମଧ୍ୟ ପଢନ୍ତୁ: ଟ୍ରାଫିକ ଜାମ୍ ବଞ୍ଚାଇଲା ଜୀବନ, 10 ମିନିଟ୍ ବିଳମ୍ବ ଯୋଗୁଁ କିଲର୍ ଫ୍ଲାଇଟ୍ ମିସ୍ କରିଥିଲେ ଭୂମି ଚୌହାନ
ଏହା ମଧ୍ୟ ପଢନ୍ତୁ: ବିମାନ ଦୁର୍ଘଟଣାରେ କେବଳ ଜଣେ ଜୀବିତ, ଅନ୍ୟ ସମସ୍ତ 241 ମୃତ, ଆଜି ଦୁର୍ଘଟଣାସ୍ଥଳରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ଏହା ମଧ୍ୟ ପଢନ୍ତୁ: 'ମେଡେ' କଲ୍ କ'ଣ ? ପାଇଲଟ୍ କାହିଁକି ଏହାକୁ ବ୍ୟବହାର କରନ୍ତି ?