ଓଡିଶା

odisha

ସ୍ନାନଯାତ୍ରା ବେଳେ ଅଘଟଣ: ସ୍ନାନ ମଣ୍ଡପରେ ରକ୍ତଛିଟା, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି

By

Published : Jun 4, 2023, 4:04 PM IST

ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି

ଆଜି ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ତେବେ ସ୍ନାନଯାତ୍ରା ବେଳେ ଘଟିଛି ଅଘଟଣ । ସ୍ନାନ ମଣ୍ଡପରେ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଛି । ସେଥିପାଇଁ ପରମ୍ପରା ଅନୁସାରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଫଳରେ ଅନ୍ୟ ନୀତିକାନ୍ତିରେ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ହେବ । ଅଧିକ ପଢ଼ନ୍ତୁ

ପୁରୀ: ମହାପ୍ରଭୁଙ୍କ ସ୍ନାନବେଦୀରେ ପଡ଼ିଲା ରକ୍ତଛିଟା । ଏହି କାରଣରୁ ମହାପ୍ରଭୁଙ୍କ ନୀତି ବନ୍ଦ ରହିଛି । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ପରେ ହେବ ଅନ୍ୟ ନୀତିକାନ୍ତି । ମହାପ୍ରଭୁଙ୍କ ଜଳଲାଗି ନୀତି ପରେ ମଇଲମ ହୋଇଥିଲା । ତେବେ ଏହାପରେ ମହାପ୍ରଭୁଙ୍କ ହାତୀବେଶ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥାନ୍ତା । ହେଲେ ସ୍ନାନବେଦୀରେ ରକ୍ତଛିଟା ପଡିଥିବା ସେବାୟତ ମାନେ ଦେଖିବା ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ହୋଇଛି । ଏଭଳି ଅଘଟଣ କାରଣରୁ ନୀତିକାନ୍ତିରେ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ହେବ । ତେବେ ନୀତି ବିଳମ୍ବିତ ହୋଇଥିଲେ ମଧ୍ୟ ଭକ୍ତଙ୍କ ପାଇଁ ଦର୍ଶନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନ ସିଂହାସନ ସମ୍ମୁଖରେ କୌଣସି କାରଣରୁ ଭକ୍ତ, ଛୋଟ ପିଲା, ବୟସ୍କ ବ୍ୟକ୍ତି ବା ସେବାୟତଙ୍କ ରକ୍ତଛିଟା ପଡ଼ିଲେ, କେହି ବାନ୍ତି କରିଦେଲେ ବା କେହି ପରିସ୍ରା ଅବା ମଳତ୍ୟାଗ କରିଦେଲେ ମହାପ୍ରଭୁଙ୍କ ନୀତି ବନ୍ଦ ହୁଏ । ଏହାପରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି ହୋଇଥାଏ । ପରେ ଅନ୍ୟ ନୀତି ହେଇଥାଏ । ତେବେ ସ୍ନାନବେଦୀରେ କେଉଁ କାରଣରୁ ରକ୍ତଛିଟା ପଡ଼ିଛି, କେଉଁଠାରୁ ଏହି ରକ୍ତ ଆସିଲା, ତାହା ସ୍ପଷ୍ଟ ହୋଇନାହିଁ । କୌଣସି ଭକ୍ତ ଭିଡ଼ରେ ପଡ଼ିଯାଇ ଆଘାତ ପାଇବା ଯୋଗୁଁ ରକ୍ତ ପଡ଼ିଥିବା ଆଶଙ୍କା କରାଯାଉଛି । ଫଳରେ ଅନ୍ୟ ନୀତିକାନ୍ତିକୁ ବନ୍ଦ କରାଯାଇ ପ୍ରଥମେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି ହୋଇଛି । ଏହି କାରଣରୁ ନୀତିକାନ୍ତିରେ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ହେବ ବୋଲି ଜଣା ପଡ଼ିଛି ।

ପ୍ରତିବର୍ଷ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ବିଗ୍ରହଙ୍କର ସ୍ନାନଯାତ୍ରା ଅନୁଷ୍ଠିତ ହୁଏ । ଏଥିପାଇଁ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କୁ ଦର୍ଶନ କରି ମନସ୍କାମନା ପୂରଣ କରିବା ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ଲାଗିଛି । ପାଖରୁ ତିନି ଠାକୁରଙ୍କୁ ଦେଖି ଭାବ ବିହ୍ବଳ ହେଉଛନ୍ତି ଭକ୍ତ । ବର୍ଷରେ ଏହି ଗୋଟିଏ ଥର ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ ମନ୍ଦିର ବାହାରେ ଆସି ଜଳସ୍ନାନ କରନ୍ତି । ଏହିଦିନ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ସୁଦର୍ଶନଙ୍କୁ ଦର୍ଶନ କରିବା ପାଇଁ ଜନସମୁଦ୍ର ପାଲଟିଥାଏ ବଡ଼ଦାଣ୍ଡ । ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details