ଓଡିଶା

odisha

ବାଲେଶ୍ବର ଟ୍ରେନ ଟ୍ରାଜେଡି, ଭୁବନେଶ୍ୱର ଏମ୍ସରେ ପହଞ୍ଚିଲା 100 ମୃତଦେହ

By

Published : Jun 4, 2023, 9:27 AM IST

unidentified bodies reached at aiims hospital

ବାଲେଶ୍ଵରରୁ ଭୁବନେଶ୍ଵରକୁ ଆସିଲା 100 ମୃତଦେହ । ଏମ୍ସରେ ଶବାଗାର ଗୃହରେ ରଖାଯିବ ଏହି ସବୁ ମୃତଦେହ । ଅଧିକ ପଢନ୍ତୁ

ଭୁବନେଶ୍ବର: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା । ଭୁବନେଶ୍ୱର ଏମ୍ସରେ ପହଞ୍ଚିଲା 100ଟି ମୃତଦେହ । ଆମ୍ବୁଲାନ୍ସ ଯୋଗେ ଏହି ସବୁ ମୃତଦେହକୁ ଏମ୍ସକୁ ଅଣାଯାଇଛି । ଗୋଟିଏ ଆମ୍ବୁଲାନ୍ସରେ ଦୁଇଟି ଲେଖାଏଁ ମୃତ ଦେହକୁ ବାଲେଶ୍ଵରରୁ ଭୁବନେଶ୍ଵର ଏମ୍ସକୁ ଅଣାଯାଇଛି । ଏହାକୁ ଏମ୍ସର ଆନାଟୋମିକ ବିଭାଗର ଶବାଗାର ଗୃହରେ ରଖାଯାଉଛି । ପ୍ରଥମେ ମୃତଦେହକୁ ଚିହ୍ନଟ କରାଯିବ, ପରବର୍ତ୍ତୀ ସମୟରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ରାଜ୍ୟରେ ଯେହେତୁ ଏତେ ମାତ୍ରାରେ ଶବାଗାର ନାହିଁ ତେଣୁ ଭୁବନେଶ୍ଵର ଏମ୍ସରେ ଏହାକୁ ରଖାଯିବ ।

ଅନ୍ୟପଟେ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏମ୍ସ ହସ୍ପିଟାଲରେ ଭେଟିବ ମାଣ୍ଡଭୀୟ । ଏହାସହ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିବା ସହ ଟ୍ରେନ ଦୁର୍ଘଟଣାର ମଧ୍ୟ ସମୀକ୍ଷା କରିବେ । ଏମ୍ସରେ ଆହୁରି ଅଧିକରୁ ଅଧିକ ମୃତଦେହ ରଖିବା ପାଇଁ କଣ ବ୍ୟବସ୍ଥା କରାଯିବା ଆବଶ୍ୟକ ସେନେଇ ମଧ୍ୟ ଆଲୋଚନା କରାଯିବ । ଏହାପରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ କଟକ ଏସସିବି ଯିବାର କାର୍ଯ୍ୟକ୍ରମ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟାରେ ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ହୋଇଥିଲା । ଏହି ଘଟଣା ପୁରା ବିଶ୍ବକୁ ଦୋହଲାଇ ଦେଇଛି । କରମଣ୍ଡଳ ଏକ୍ସପ୍ରେସର ପାଖାପାଖି 10ରୁ 12ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ288 ଜଣଙ୍କର ମୃତ୍ୟୁ ହୋଇଥିଲା ଓ 900ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ବର୍ତ୍ତମାନ ମଧ୍ୟ ଆହତଙ୍କ ଚିକିତ୍ସା ବିଭିନ୍ନ ହସ୍ପିଟାଲରେ ଜାରି ରହିଛି । ଗତକାଲି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲେ ରେଳ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ପରେପରେ ପ୍ରଧାନମନ୍ତ୍ରୀ ଦୁର୍ଘଟଣାର ସମୀକ୍ଷା କରିବା ପରେ ବାହାନଗାରେ ପହଞ୍ଚିଥିଲେ । ଦୁର୍ଘଟଣାସ୍ଥଳ ବୁଲିବା ପରେ ଆହତଙ୍କୁ ବାଲେଶ୍ବର ହସ୍ପିଟାଲରେ ଭେଟିଥିଲେ । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ 4 ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ । ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ଦୁର୍ଘଟଣାରେ ଆହତ ଶିଶୁ ଓ କିଶୋରଙ୍କ ସୁରକ୍ଷା ନେଇ ଚିଠିଲେ ଉଲ୍ଲେଖ କରଯାଇଛି । କୌଣସି ଦୁର୍ଘଟଣା ଏବଂ ବିପର୍ଯ୍ୟୟ ସମୟରେ ପିଲାମାନେ ସବୁଠାରୁ ଅଧିକ ପ୍ରଭାବିତ ହୁଅନ୍ତି । ଏପରିକି ପିଲାମାନେ ଅସଦାଚରଣର ଶିକାର ହୋଇପାରନ୍ତି । ଏହାସହ ମାନବ ଚାଲାଣର ଶିକାର ହେବାର ମଧ୍ୟ ଦେଖିବାକୁ ମିଳେ । ତେଣୁ ଏନେଇ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ସହ ସେମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details