ଓଡିଶା

odisha

Balasore Train Mishap: ବାଲେଶ୍ବରରେ ଆନ୍ଧ୍ର-କର୍ଣ୍ଣାଟକ ମନ୍ତ୍ରୀ, ଆହତଙ୍କୁ ଭେଟିଲେ

By

Published : Jun 4, 2023, 11:17 AM IST

ବାଲେଶ୍ବର ଆସିଲେ ଆନ୍ଧ୍ର ଓ କର୍ଣ୍ଣାଟକ ମନ୍ତ୍ରୀ

ନିଜ ରାଜ୍ୟର ଆହତ ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବାକୁ ବାଲେଶ୍ବର ଆସିଲେ ଆନ୍ଧ୍ର ଓ କର୍ଣ୍ଣାଟକ ମନ୍ତ୍ରୀ । ଅଧିକ ପଢନ୍ତୁ

ବାଲେଶ୍ବର: ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇ ବିଭିନ୍ନ ରାଜ୍ୟର ପାଖାପାଖି ହଜାରେ ଯାତ୍ରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନେକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ମନ୍ତ୍ରୀମାନେ ବାଲେଶ୍ବରରେ ପହଞ୍ଚିଛନ୍ତି । ଆନ୍ଧ୍ରର ଶିଳ୍ପମନ୍ତ୍ରୀ ଅମରନାଥ ଗୁଡ଼ିପଦା ଓ କର୍ଣ୍ଣାଟକ ଶ୍ରମମନ୍ତ୍ରୀ ସନ୍ତୋଷ ଲାଡ୍ ବାଲେଶ୍ବର ହସ୍ପିଟାଲ ପରିଦର୍ଶନ କରି ନିଜନିଜ ରାଜ୍ୟର ଆହତ ଯାତ୍ରୀଙ୍କୁ ଭେଟିଛନ୍ତି ।

କରମଣ୍ଡଳ ଏକ୍ସପ୍ରେସ୍‌ରେ ହାୱଡାରୁ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ଅନେକ ଯାତ୍ରୀ ବର୍ତ୍ତମାନ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ସମ୍ପର୍କରେ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମନ୍ତ୍ରୀ ଅମରନାଥ ବାଲେଶ୍ବରରେ ପହଞ୍ଚିଛନ୍ତି । ଏହି ଅବସରରେ ସେ କହିଛନ୍ତି, "ବାଲେଶ୍ବରରେ ଘଟିଥିବା ଟ୍ରେନ ଦୁର୍ଘଟଣା ସାରା ଦେଶ ପାଇଁ ଖୁବ୍ ଦୁଃଖଦାୟକ । ସରକାରୀ ତଥ୍ୟ ଅନୁସାରେ, ଆନ୍ଧ୍ରର ୩୦୯ ଜଣ ଯାତ୍ରୀ କରମଣ୍ଡଳ ଏକ୍ସପ୍ରେସରେ ଟିକେଟ୍ କରିଥିଲେ । ସେମାନଙ୍କ ମଧ୍ୟରୁ ୧୬୫ ଜଣ ସୁରକ୍ଷିତ ଥିବାବେଳେ ୧୧ ଯାତ୍ରୀ ସାମାନ୍ୟ ଆହତ ଓ ୫୮ ଜଣଙ୍କୁ ଚିହ୍ନଟ କରାଯାଇ ନାହିଁ । ସେହିପରି ୨୫ ଜଣ ଯାତ୍ରୀଙ୍କ ଫୋନ୍‌ ବନ୍ଦ ଅଛି । ୩୦୯ ଯାତ୍ରୀରୁ ୫୭ ଜଣ ଯାତ୍ରା କରିନାହାନ୍ତି । ୩ ଜଣଙ୍କ ଫୋନ ନମ୍ବର ଉପଲବ୍ଧ ନାହିଁ ।"

ମନ୍ତ୍ରୀ ଓଡ଼ିଶା ସରକାରଙ୍କ ଦ୍ବାରା ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆନ୍ଧ୍ରର ଯାତ୍ରୀମାନଙ୍କ ପାଖକୁ ଯାଇଛନ୍ତି । ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତଙ୍କୁ ଭେଟିବା ସହ ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି । ହସ୍ପିଟାଲରେ ମିଳୁଥିବା ଚିକିତ୍ସା ସେବା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ କର୍ଣ୍ଣାଟକ ଶ୍ରମମନ୍ତ୍ରୀ ସନ୍ତୋଷ ଲାଡ୍‌ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଦକ୍ଷିଣ ଭାରତର ଆହତ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ : Train tragedy: ଶୋକ ପ୍ରକାଶ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ବିଦେଶରୁ ଛୁଟୁଛି ସମବେଦନା

ଏହାରି ଭିତରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ମଧ୍ୟ ଆଜି ସକାଳେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ଏମ୍ସ ଓ କଟକ ବଡ ମେଡ଼ିକାଲକୁ ଯିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ବାହାନଗା ଦୁର୍ଘଟଣା ସ୍ଥଳକୁ ଆସିଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ତାମିଲନାଡୁର ଦୁଇ ଜଣ ମନ୍ତ୍ରୀ ମଧ୍ୟ ଘଟଣାସ୍ଥଳ ଗସ୍ତ କରିିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details