ଓଡିଶା

odisha

Odisha train accident: ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

By

Published : Jun 4, 2023, 3:33 PM IST

Odisha train accident: ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

ସର୍ବୋଚ୍ଚ କୋର୍ଟରେ ପହଞ୍ଚିଲା ବାଲେଶ୍ବର ଟ୍ରେନ ଟ୍ରାଜେଡି ମାମଲା । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ବିଶେଷଜ୍ଞ ଟିମ ଦ୍ବାରା ତଦନ୍ତ ନିର୍ଦ୍ଦେଶ ଦେବାକୁ ଆବେଦନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ:ବାଲେଶ୍ବର ବାହାନଗା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି । ସର୍ବୋଚ୍ଚ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଦ୍ବାରା ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବାକୁ ଦାଏର ଜନସ୍ବାର୍ଥ ମାମଲାରେ ଦାବି କରାଯାଇଛି । ଦୁର୍ଘଟଣାର ତଦନ୍ତ ବ୍ୟତୀତ ରେଳସେବାରେ ଅଟୋମେଟିକ ଟ୍ରେନ ପ୍ରୋଟେକ୍ସନ ବ୍ୟବସ୍ଥା (ATP) ବା ‘କବଚ’ ସିଷ୍ଟମକୁ ତ୍ବରାନ୍ବିତ ଭିତ୍ତିରେ ପୁରା ଦେଶର ରେଳ ନେଟଓ୍ବାର୍କରେ କାର୍ଯ୍ୟକାରୀ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି ।

ଶୁକ୍ରବାର ବିଳମ୍ବିତ ସଂଧ୍ୟାରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଗତକାଲି ରାତିରେ ଶେଷ ହୋଇଛି । ଏବେ କେବଳ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ସ୍ଥାନରେ ପ୍ରାୟ 1 କି.ମି ଧରି ରେଳ ଧାରଣା ଗଭୀର ଭାବେ ପ୍ରଭାବିତ ହୋଇଥିବା କାରଣରୁ ରେଳ ସେବା ଗତ ପ୍ରାୟ 72 ଘଣ୍ଟା ଧରି ପ୍ରଭାବିତ ହୋଇଛି । ଅନେକ ଟ୍ରେନକୁ ବାତିଲ ଓ ଅନେକ ଟ୍ରେନର ଗତିପଥରେ ପରିବର୍ତ୍ତନ କରିବାକୁ ପଡିଛି । ପୂର୍ବତଟ ରେଳପଥର ଏହି ମେନ-ଲାଇନକୁ ସଜାଡିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି । ଘଟଣାର ତଦନ୍ତ ମଧ୍ୟ ରେଳବାଇ ଜାରି ରଖିଛି । ପ୍ରାଥମିକ ଭାବେ ସିଗନାଲ ସମସ୍ୟା କାରଣରୁ ଏହି ଦୁର୍ଘଟଣା ଘଟିଥିବା ସୂତ୍ରରୁ ସ୍ପଷ୍ଟ ହୋଇଛି ।

ଅନ୍ୟପଟେ ଗତକାଲି ଉଦ୍ଧାର ଅପରେସନ ଶେଷ ହେବା ପରେ ମୋଟ ମୃତ୍ୟୁସଂଖ୍ୟା 288 ବୋଲି ସରକାରୀ ଭାବେ ଘୋଷଣା କରାଯାଇଥିଲା । ଆଜି ପ୍ରକୃତ ସଂଖ୍ୟା 275 ବୋଲି କୁହାଯାଉଛି । ତରବରିଆ ଭାବେ ଗଣତି କାରଣରୁ ସଂଖ୍ୟାରେ ସାମାନ୍ୟ ତ୍ରୁଟି ଥିବା ଓ ପରେ ଏହାର ଗଣତିରେ 275 ମୃତଦେହ ଚିହ୍ନଟ କରାଯାଇଥିବା କୁହାଯାଇଛି । ବାଲେଶ୍ବରରୁ ପ୍ରାୟ 160 ମୃତଦେହ ଭୁବନେଶ୍ବର ନିଆଯାଇଛି । ସେଠାରେ ମୃତଦେହ ଚିହ୍ନଟ କରିବା ଓ ପରିବାର ଲୋକଙ୍କୁ ହସ୍ତାନ୍ତରଣ କରିବା ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି । ଏକ କଣ୍ଟ୍ରୋଲ ରୁମ ଓ ହେଲ୍ପଲାଇନ ଜାରି କରାଯାଇ ମୃତଦେହ ସମ୍ପର୍କରେ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯାଉଛି ।

ପ୍ରାଥମିକ ଭାବେ ରାଳବାଇର ତଦନ୍ତ ଅନୁସାରେ, ବାହାନଗା ବଜାର ଷ୍ଟେସନର କିଛି ଦୂରରେ ଲୁପ-ଲାଇନରେ ଛିଡା ହୋଇଥିବା ମାଲଗାଡିକୁ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ । ମେନ-ଲାଇନରେ ଗତି କରୁଥିବା କରମଣ୍ଡଳ ଧାରଣା ପରିବର୍ତ୍ତନ କରିବା ସମ୍ପର୍କରେ ଭୁଲ ସିଗନାଲକୁ ଦାୟୀ କରାଯାଉଛି । ତେବେ ପ୍ରଥମ ଦୁର୍ଘଟଣା ପରେ ବିପରୀତ ପାର୍ଶ୍ବ (ଡାଉନ ଲାଇନ)ରେ ଆସୁଥିବା ଯଶୋବନ୍ତପୁର-ହାଓ୍ବାଡା ସୁପରଫାଷ୍ଟ କରମଣ୍ଡଳର କ୍ଷତିଗ୍ରସ୍ତ ବଗି ସହ ଧକ୍କା ଖାଇ ଲାଇନଚ୍ୟୁତ ହୋଇଥିଲା । ଉଭୟ ଟ୍ରେନର ମୋଟ 17 ବଗି କ୍ଷତିଗ୍ରସ୍ତ ହୋଇଛି । ମାତ୍ରାଧିକ ମୃତକ କରମଣ୍ଡଳ ଏକ୍ସପ୍ରେସର ଯାତ୍ରୀ ରହିଛନ୍ତି । ଏଥିରେ ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ ସମେତ ଏକାଧିକ ରାଜ୍ୟର ଯାତ୍ରୀ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details